Odisha Link
Bridging the Missing Links in Odisha

ଭାରତୀୟ ଜର୍ସିରେ ରହିବ ନାହିଁ ପାକିସ୍ତାନର ନାମ

ଓଏଲ୍‌ ବ୍ୟୁରୋ:ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ବଡ଼ ଖବର। ପାକିସ୍ତାନରେ ଆୟୋଜିତ ହେଉଥିବା ଚମ୍ପିଆନ୍ସ ଟ୍ରଫିରେ ଚଳିତଥର ୮ଟି ଦଳ ମୁହାଁମୁହିଁ ହେବେ। ତେବେ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ନେଇଛି ବଡ଼ ନିଷ୍ପତ୍ତି। ଭାରତୀୟ ଦଳ ପିନ୍ଧି ଖେଳିବାକୁ ଥିବା ଜର୍ସିରେ ରହିବ ନାହିଁ ପାକିସ୍ତାନର ନାମ। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଚମ୍ପିଆନ୍ସ ଟ୍ରଫିରେ ଚଳିତ ଥର ୮ଟି ଦଳ ଭାଗ ନେଇଛନ୍ତି। ଟ୍ରଫି ହାତେଇବା ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। ସମସ୍ତ ଦଳ ଚମ୍ପିଆନ୍ସ ଟ୍ରଫି ପାଇଁ ନୂଆ ଜର୍ସି ପିନ୍ଧିବେ। ଅର୍ଥାତ୍‌ ସମସ୍ତ ଦଳର ଜର୍ସିରେ ଆଇସିସି ଚମ୍ପିଆନ୍ସ ଟ୍ରଫି ପାକିସ୍ତାନ ଲେଖା ରହିବ। ଆୟୋଜକ ଦେଶ ଭାବେ ପାକିସ୍ତାନର ନାଁ ରହିବ। ଅନ୍ୟପଟେ ଟିମ୍‌ ଇଣ୍ଡିଆର ଜର୍ସିରେ ଆଇସିସି ଚମ୍ପିଆନ୍ସ ଟ୍ରଫି ଲେଖା ରହିବା ବେଳେ ପାକିସ୍ତାନ ନାଁ ରହିବ ନାହିଁ ବୋଲି ବିସିସିଆଇ ଆଇସିସିକୁ ଜଣାଇ ଦେଇଛି। ଯାହାକୁ ନେଇ ପିସିବି, ବିସିସିଆଇ ଓ ଆଇସିସି ମଧ୍ୟରେ କ୍ରିକେଟ ରାଜନୀତି ଦେଖିବାକୁ ମିଳିଛି।

ଚମ୍ପିଆନ୍ସ ଟ୍ରଫିର ଚଳିତ ସଂସ୍କରଣର ଆୟୋଜକ ଦେଶ ହେଉଛି ପାକିସ୍ତାନ। ଚଳିତ ଥର ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡରେ ଖେଳାଯାଉଛି। କାରଣ ପାକିସ୍ତାନ ଆୟୋଜକ ଦେଶ ହୋଇଥିବାରୁ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ପାକିସ୍ତାନର ୩ଟି ଷ୍ଟାଡିୟମ୍‌ରେ ଖେଳାଯିବ। ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିିଥିବା ସୀମା ବିବାଦ ଓ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପକୁ ନଜରରେ ରଖି ଭାରତୀୟ ଦଳ ପାକିସ୍ତାନ ଖେଳିବାକୁ ଯିବନାହିଁ ବୋଲି ଆଇସିସିକୁ ବିସିସିଆଇ କହିଥିଲା। ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡରେ ଖେଳାଯାଉ ବୋଲି ବିସିସିଆଇ ଆଇସିସି ଆଗରେ ପ୍ରସ୍ତାବ ରଖିଥିଲା। ନାନା ବିଚାର ବିମର୍ଷ ପରେ ଆୟୋଜକ ପାକିସ୍ତାନ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମୋଡରେ କରିବାକୁ ରାଜି ହୋଇଥିଲା। ଫଳରେ ଭାରତୀୟ ଦଳ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ।

Leave A Reply

Your email address will not be published.