‘ସ୍କୁଲରେ ମିଶିବ ଅଙ୍ଗନବାଡି, ପ୍ରାଥମିକ ସ୍କୁଲ ପରିସରରେ ହେବ ଶିଶୁବାଟିକା’

ଓଏଲ୍ ବ୍ୟୁରୋ: ନୂତନ ଶିକ୍ଷା ନୀତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ରାଜ୍ୟରେ ୧୦+୨ ବ୍ୟବସ୍ଥା ବଦଳରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରାଯିବ। ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲା ଯିବ। ଶିଶୁ ବାଟିକାରେ ପିଲାଙ୍କ ଉପରେ ବିନା କୌଣସି ଚାପରେ ସେମାନଙ୍କ ମୌଳିକ ଓ ସଂଖ୍ୟା ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆଗାମୀ ବର୍ଷମାନଙ୍କରେ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରାଯିବ। ଶିକ୍ଷକ ନିଯୁକ୍ତି, ପାଠ୍ୟ ପୁସ୍ତିକା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ।
କ୍ରମଶଃ ସ୍କୁଲରେ ମିଶିବ ଅଙ୍ଗନବାଡ଼ି। ଶିଶୁ ବାଟିକା ଭାବେ ସ୍କୁଲରେ ଚାଲିବ ଅଙ୍ଗନବାଡ଼ି। ବାଳ ବାଟିକାକୁ ରାଜ୍ୟରେ ଶିଶୁ ବାଟିକା କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ବାଳ ବାଟିକା ୩ ଲାଗୁ ହେଉଛି। ପ୍ରାଥମିକ ସ୍କୁଲ ପରିସରରେ ଶିଶୁ ବାଟିକା ହେବ। ଆସନ୍ତା ଏପ୍ରିଲରୁ ଶିଶୁ ବାଟିକାରେ ନାମଲେଖା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।