ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍। ଏହି ମ୍ୟାଚ ପାଇଁ ଏବେ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି। ଷ୍ଟାଡିୟମର ଭିତର ଓ ବାହାର ପାର୍ଶ୍ୱକୁ ନୂଆ ରୂପ ଦିଆଯାଉଥିବାବେଳେ ପଡିଆରେ ଘାସ କଟା କାର୍ଯ୍ୟ ଜାରି ରହିଛି। ଏହାସହ ଷ୍ଟାଡିୟମର ଗ୍ୟାଲେରୀଗୁଡ଼ିକର ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ।
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ୍, ପୂର୍ବତନ ବିଧାୟକ ଲଳିଟେନ୍ଦୁ ମହାପାତ୍ର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି।