୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ବଡ଼ ସୂଚନା ଦେଲେ ବିଜେପି ସାଂସଦ..
ଓଏଲ୍ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଉତ୍କର୍ଷ ଓଡ଼ିଶା: ମେକ୍ ଇନ ଓଡ଼ିଶା ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ୨୮ ତାରିଖ ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ସେଠାରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଜନତା ମଇଦାନକୁ ଯିବେ ବୋଲି ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାଂସଦଙ୍କ କହିବା ଅନୁଯାୟୀ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକାଧିକ ସମ୍ମିଳନୀରେ ଉଦବୋଧନ ଦେବେ। ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରାୟ ୪୦୦୦ରୁ ୫୦୦୦ ଶିଳ୍ପପତିଙ୍କ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଏହି ଅବସରରେ ଆକୃଷ୍ଟ କରାଯିବ।
ଶ୍ରୀ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପୂର୍ବୋଦୟ ବିକାଶର ଯେଉଁ ପରିକଳ୍ପନା କରିଥିଲେ, ତାହାର ସଫଳ ପ୍ରୟୋଗ ଓଡ଼ିଶାରେ ତୀବ୍ର ଗତିରେ ଆରମ୍ଭ ହୋଇଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଅତ୍ୟନ୍ତ ପ୍ରତିବଦ୍ଧତାର ସହ କାର୍ଯ୍ୟ କରାଯାଉଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ୫ ଥର ଓଡ଼ିଶା ଗସ୍ତରେ ଆସିବାକୁ ଯାଉଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଏହି ଓଡ଼ିଶା ଗସ୍ତ ଆଗାମୀ ଦିନରେ ଜାରି ରହିବ ଏବଂ ଏଥିରୁ ଓଡ଼ିଶା ବେଶ୍ ଲାଭାନ୍ଵିତ ହେବ। ଗତ ୭ ମାସ ମଧ୍ୟରେ ଓଡ଼ିଶାରେ ଏକାଧିକ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହୋଇଛି। ଯାହାଫଳରେ ବୈଶ୍ଵିକ ମଞ୍ଚରେ ଓଡ଼ିଶାର ମାନ, ସମ୍ମାନ ବୃଦ୍ଧି ପାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ କରାଯାଉଛି। ଏପରି ଜଣେ ମହାମାନବଙ୍କୁ ଜନ ମାନସରେ ପ୍ରସ୍ଥାପିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଅନନ୍ୟ, ଅତୁଳନୀୟ ଏବଂ ଅସାଧାରଣ ବୋଲି ସେ କହିଛନ୍ତି।