Odisha Link
Bridging the Missing Links in Odisha

ପ୍ରାକ୍ ବଜେଟ୍ ବୈଠକ: ସାଧାରଣ ଲୋକଙ୍କ ମତାମତ ଲୋଡିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତି ବିଶେଷଜ୍ଞ ଏବଂ ବୁଦ୍ଧିଜୀବିମାନେ ଅଂଶଗ୍ରହଣ କରି ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ନେଇ ନିଜ ନିଜର ମତ ରଖିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲୋକମତ ସଂଗ୍ରହ ଆମେ କରୁଛୁ।

ଆଜି ପ୍ରାକ ବଜେଟ ପରାମର୍ଶ ନେଇ ବୈଠକରେ ସମସ୍ତଙ୍କ ସହ ସବିଶେଷ ଆଲୋଚନା ହୋଇଛି। ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ମତାମତ ଦେଇ ପାରିବେ। ସାଧାରଣ ଲୋକଙ୍କ ପାଇଁ କିପରି ବଜେଟରେ ଗୁରୁତ୍ୱ ମିଳିବ ସେ ନେଇ ବଜେଟ ପ୍ରସ୍ତୁତ ସମୟରେ ଚିନ୍ତା କରାଯିବ।

ରାଜସ୍ୱ କେମିତି ବଢିବ ସେ ନେଇ ସରକାର ଚିନ୍ତା କରୁଛନ୍ତି। ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡିଶାରେ କିପରି ଆମର ଜିଡିପି ବଢିବ ସେଥିପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ। ବିକଶିତ ଗାଁ ବିକଶିତ ଓଡିଶା ଭଳି ଯୋଜନା ଆରମ୍ଭ କରିବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗାଁରେ ଆୟର ଉତ୍ସ ତିଆରି କରିବା ପାଇଁ ସରକାର ଯୋଜନା କରିଛନ୍ତି। ଗାଁ ଲୋକ ଆଉ ସହରକୁ ଆସିବେ ନାହିଁ। ଶ୍ରମିକ, ଚାଷୀ, ନିଯୁକ୍ତି କ୍ଷେତ୍ରରେ ଆଶା ରଖିଥିବା ବେକାର ଯୁବକ, ସରକାରୀ ପଦବୀ ପୂରଣ ଭଳି କ୍ଷେତ୍ର ବଜେଟରେ ପ୍ରତିଫଳିତ ହେବ। ସରକାରକୁ ଆସିବା ପରେ ଆମେ ୨୦ ହଜାର ନିଯୁକ୍ତି ଦେଇ ସାରିଛୁ। ଚଳିତ ଆର୍ଥିକ ବର୍ଷ ଆହୁରି ୨୦ ହଜାର ନିଯୁକ୍ତି ଦେବୁ। ଆଗକୁ ୨ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ପଦବୀ ପୂରଣ କରିବୁ।

୨୦୨୫-୨୬ ରେ ଆହୁରି ଅନେକ ଯୋଜନା ସାମିଲ କରିବେ ସରକାର। ତେଣୁ ବଜେଟର ଆକାର ବହୁତ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଜେଟ ପାଇଁ ମତାମତ ରଖିବାକୁ ଆହ୍ବାନ ଦେଇଛନ୍ତି। ଆସନ୍ତା ଜାନୁୟାରୀ ୩୧ ପର୍ଯ୍ୟନ୍ତ ଇମେଲ୍ ମାଧ୍ୟମରେ ଲୋକେ ପ୍ରସ୍ତାବ ରଖିବେ। ଲୋକଙ୍କ ସରକାରରେ ସାଧାରଣ ଲୋକେ ଫୋକସ ରହିବ। ଆସନ୍ତା ବଜେଟରେ ଗରିବଙ୍କ ପାଇଁ ନୂଆ ଯୋଜନା ଆସିବ।

Leave A Reply

Your email address will not be published.