କେଜ୍ରିୱାଲଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ, ଅମିତ ଶାହଙ୍କୁ ଦୋଷ ଦେଲେ କେଜ୍ରିୱାଲ
ଓଏଲ୍ ବ୍ୟୁରୋ: ଆଉ ଦିନ କେଇଟା ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ନିର୍ବାଚନକୁ ନେଇ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଦିଲ୍ଲୀ ପୁଲିସ ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପଞ୍ଜାବ ପୁଲିସ ଅତିରିକ୍ତ ସୁରକ୍ଷାକୁ ହଟାଇ ଦେଇଛି। ଦିଲ୍ଲୀ ପୁଲିସ କେଜରିୱାଲଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ଦେଉଛି। ଏ ନେଇ ପଞ୍ଜାବ ପୁଲିସକୁ ପତ୍ର ଲେଖି ଦିଲ୍ଲୀ ପୁଲିସ୍ ଜଣାଇ ଦେଇଛି। ତେବେ କେଜରିୱାଲଙ୍କୁ ପଞ୍ଜାବ ପୁଲିସ ପକ୍ଷରୁ ମିଳିଥିବା ସୁରକ୍ଷା ହଟିବା ଯୋଗୁ ଦିଲ୍ଲୀ ରାଜନୀତି ପୁଣି ଉଷ୍ମ ହୋଇଛି।
ସ୍ୱତନ୍ତ୍ର ପୁଲିସ କମିଶନର ସ୍ତରର ଜନୈକ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀ ପୁଲିସ ଅନେକ ପୂର୍ବରୁ କେଜରିୱାଲଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଇଛି। ଏଣୁ ତାଙ୍କ ସୁରକ୍ଷାରେ ପଞ୍ଜାବ ପୁଲିସ ଯବାନଙ୍କ କୌଣସି ଆବଶ୍ୟକତା ନାହିଁ। ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ପୁଲିସ ପଞ୍ଜାବ ପୁଲିସ ପକ୍ଷରୁ କେଜରିୱାଲଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର ସୁରକ୍ଷାକୁ ହଟାଇ ଦିଆଯାଇଛି। ଏ ନେଇ ପଞ୍ଜାବ ପୁଲିସ ଅଧିକାରୀଙ୍କୁ ସୂଚିତ କରିଦିଆଯାଇଛି।
ଗତ ଦିନରେ ଇଣ୍ଟେଲିଜେନ୍ସୀ ବ୍ୟୁରୋ (ଆଇବି) କେଜରିୱାଲଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଦିଲ୍ଲୀ ପୋଲିସକୁ ଇନପୁଟ୍ ଦେଇଥିଲେ। ଗୁଇନ୍ଦା ରିପୋର୍ଟରେ କୁହାଯାଇଥିଲା ଖଲିସ୍ତାନୀ ତତ୍ୱ ତାଙ୍କ ଉପରେ ଆକ୍ରମଣ କରିପାରନ୍ତି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ଗତ ଦିନରେ ଦିଲ୍ଲୀ ପୁଲିସକୁ ଆଲର୍ଟ ମଧ୍ୟ କରିଥିଲା। ଏଥିରେ କେଜରିୱାଲ ଦିଲ୍ଲୀ ବିଜେପି ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଏକ୍ସରେ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ, ହରିନଗରରେ ବିପକ୍ଷ ପ୍ରାର୍ଥୀଙ୍କ ଲୋକଙ୍କୁ ପୁଲିସ ମୋ ଜନସଭାରେ ପଶିବାକୁ ଦେଇଥିଲା ଓ ମୋ ଗାଡି ଉପରେ ଆକ୍ରମଣ କରାଇଛନ୍ତି।
ଏ ସବୁ କିଛି ଅମିତ ଶାହଙ୍କ ଆଦେଶରେ ହେଉଛି। ଅମିତ ଶାହ ଦିଲ୍ଲୀ ପୁଲିସକୁ ତାଙ୍କ ପ୍ରାଇଭେଟ ଆର୍ମି କରିସାରିଲେଣି। ଏବେ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠୁଛି, ଏକ ଜାତୀୟ ପାର୍ଟିର ଜାତୀୟ ସଭାପତି ଓ ତାଙ୍କ ନେତାଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି ଓ ନିର୍ବାଚନ ଆୟୋଗ କୌଣସି ପ୍ରଭାବୀ ପଦକ୍ଷେପ ନେଉ ନାହାନ୍ତି ବୋଲି କେଜରିୱାଲ ଅଭିଯୋଗ କରିଛନ୍ତି।