କାହା ସପକ୍ଷରେ ଯିବ ଦିଲ୍ଲୀ ନିର୍ବାଚନ? ୭୦ ଆସନରେ ୬୯୯ ପ୍ରାର୍ଥୀ…
ଓଏଲ୍ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଦିଲ୍ଲୀ ନିର୍ବାଚନ ଯେତିକି ପାଖଉଛି ରାଜେନୖତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି। ବିଜୟ ପାଇଁ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରସ୍ତୁତି ନେଇ ଆଜି ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହେବ। ବୈଠକ ନିର୍ବାଚନ କମିଶନଙ୍କ ସମେତ ଭୋଟ ପ୍ରକ୍ରିୟା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଯୋଗ ଦେବେ।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ଆସନ ପାଇଁ ୬୯୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ପ୍ରଚାରକୁ ଆଉ ମାତ୍ର ହାତରେ ୭ ଦିନ । ଆସନ୍ତା ୩ ତାରିଖରେ ସରିବ ପ୍ରଚାର। ଏଥିଲାଗି ସମସ୍ତ ଦଳର ପ୍ରାର୍ଥୀ ଜୋରସୋର ପ୍ରଚାରରେ ଲାଗି ପଡିଛନ୍ତି। ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଗତକାଲି ଜୋରଦାର ପ୍ରଚାର କରିଥିଲେ। ପ୍ରଚାର ଅବସରରେ କେନ୍ଦ୍ରର ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି କେଜରିୱାଲ। ଯଦି ବିଦ୍ୟୁତ ବିଲ ଅଧିକ ଦେବାକୁ ଦିଲ୍ଲୀବାସୀ ଚାହୁଁଛନ୍ତି ତେବେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି କେଜରିୱାଲ।
ଆପ ନେତା ସଂଜୟ ସିଂହ ମଧ୍ୟ କେନ୍ଦ୍ରର ବିଜେପିକୁ କଡ଼ା ଭାବେ ସମାଲୋଚନା କରିଛନ୍ତି। ଆମ ଆଦମୀ ପାର୍ଟି ଏକ ହୋଇ ଦିଲ୍ଲୀବାସୀଙ୍କ ପାଇଁ କାମ କରିବ ବୋଲି କହିଛନ୍ତି ସଂଜୟ ସିଂହ। ଦିଲ୍ଲୀରେ ବିଜେପି ଆସିଲେ ବିଜୁଳି, ପାଣି, ଶିକ୍ଷା, ଚିକିତ୍ସା ଓ ମହିଳାଙ୍କ ମାଗଣା ବସ ସେବା ଯାତ୍ରା ବନ୍ଦ କରି ଦେବେ ବୋଲି କହିଛନ୍ତି ସଂଜୟ ସିଂହ। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ ଲାଗି ଦିଲ୍ଲୀବାସୀ ପୁରା ପ୍ରସ୍ତୁତ ଅଛନ୍ତି ବୋଲି ସଂଜୟ ସିଂହ କହିଛନ୍ତି।
ଅନ୍ୟପଟେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଧାନସଭା ନିର୍ବାଚନ ସମ୍ପର୍କରେ ବିଜେପିର ସଂକଳ୍ପ ପତ୍ରର ତୃତୀୟ ଭାଗ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ଆମେ ଯାହା ପ୍ରତିଜ୍ଞା କରୁ, ଆମେ ତାହା ପୂରଣ କରୁ, ଆମେ କେବଳ ଅନ୍ୟମାନଙ୍କ ପରି ପ୍ରତିଜ୍ଞା କରୁନାହୁଁ। ଆଜି ମୁଁ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ସଂକଳ୍ପର ଶେଷ ଭାଗ ଉପସ୍ଥାପନ କରୁଛି। ମୁଁ ଅନ୍ୟ ଦଳର ନାମ ନେବି ନାହିଁ। ଆମ ଦଳ ଯାହା ପ୍ରତିଶ୍ରୁତି ଦେଇଥାଏ ତାହା ପୂରଣ କରେ। ଆମେ କେବଳ ପ୍ରତିଶୃତି ଦେଇନାହୁଁ। ଅନେକ ଲୋକଙ୍କ ଠାରୁ ପରାମର୍ଶ ଲୋଡ଼ିବା ପରେ ଏହା ପ୍ରସ୍ତୁତ କରାଯାଇଛି। କେଜ୍ରିୱାଲ ଜୀ ଦିଲ୍ଲୀବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଏବଂ ପରେ ତାହା ପୂରଣ କରୁନାହାଁନ୍ତି ଏବଂ ପରେ ଏକ ନିରୀହ ଚେହେରା ସହିତ ଫେରି ଆସୁଛନ୍ତି।
ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, “କେଜ୍ରିୱାଲ କହୁଥିଲେ ଯେ ଆମର କୌଣସି ମନ୍ତ୍ରୀ ବଙ୍ଗଳା ନେବେ ନାହିଁ। ଆଜି ଦେଖନ୍ତୁ, ସେ ଶିଶ ମହଲ ନିର୍ମାଣ କରିଛନ୍ତି। ଆପଣ ମନ୍ଦିରକୁ ମଧ୍ୟ ଛାଡି ନାହାଁନ୍ତି। ନିଜ ବିଦ୍ୟାଳୟକୁ ଛାଡି ନାହାଁନ୍ତି। ଆପଣ ମଦ ଦୁର୍ନୀତି କରିଥିଲେ।
ଅନ୍ୟପଟେ, କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ଠିକ୍ ଦିଲ୍ଲୀ ନିର୍ବାଚନ ପୂର୍ବରୁ ‘୨୦୨୦ ଦିଲ୍ଲୀ’ ନାମକ ଏକ ଘୃଣା ଉଦ୍ରେକକାରୀ ଫିଲ୍ମ ରିଲିଜ କରିବାକୁ ଯାଉଛି। କ୍ଷମତାର ଭୋକ ଜ୍ୱାଳାରେ ଏହି ଫିଲ୍ମ ପ୍ରସାରଣ କରି ସାମ୍ପ୍ରଦାୟିକତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଏଣୁ ପାର୍ଟି ମୁଖପାତ୍ର ତଥା ବରିଷ୍ଠ ଅଧିବକ୍ତା ଅଭିଷେକ ମନୁ ସିଂଘଭୀ ନିର୍ବାଚନ ଆୟୋଗଙ୍କୁ ଏହି ଫିଲ୍ମର ରିଲିଜ ଉପରେ କଟକଣା ଲଗାଇବା ପାଇଁ ଅନୁରୋଧ କରିଛନ୍ତି।
ଏହି ଫିଲ୍ମ ଫେବୃଆରୀ ୨ ତାରିଖରେ ମୁକ୍ତିଲାଭ କରିବାର ଅଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଂଘଭୀ କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି ଫିଲ୍ମ ରିଲିଜ ଦ୍ୱାରା ସମାଜକୁ ଭାଗଭାଗ କରି ନିଜର ଭୋଟ ସାଉଣ୍ଟିବାକୁ ଉଦ୍ୟମ କରୁଛି। ସିଂଘଭୀ କହିଛନ୍ତି ଯେ ବିଜେପି ନିର୍ବାଚନ ସମୟରେ ସାମ୍ପ୍ରଦାୟିକତା ସୃଷ୍ଟି କରିବାକୁ ଯାଉଛି। କ୍ଷମତା ଭୋକରେ ସେ ଏପରି କରିବାକୁ ଚାହୁଁଥିବା ସିଂଘଭୀ କହିଛନ୍ତି।
ସିଂଘଭୀଙ୍କ ଅନୁସାରେ ଏହି ଫିଲ୍ମକୁ ବିଜେପି ତିଆରି କରିଥିବା ବେଳେ ବିଜେପି ନେତା ଅମିତ ମାଲବ୍ୟ ଓ ଅନ୍ୟ ନେତାଙ୍କ ଦ୍ୱାରା ଫିଲ୍ମର ପ୍ରଚାର ପ୍ରସାର କରାଯାଉଛି। କଂଗ୍ରେସ ନେତା କହିଛନ୍ତି ଯେ ଏହି ଫିଲ୍ମର ରିଲିଜକୁ ବିରୋଧ କରି କଂଗ୍ରେସ ଜାନୁୟାରୀ ୨୫ ତାରିଖ ଦିନ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ଏହି ଫିଲ୍ମର ରିଲିଜକୁ ନିର୍ବାଚନ ଆୟୋଗ ନିଷିଦ୍ଧ କରିବା ଦରକାର ବୋଲି ସେ କହିଛନ୍ତି।
Comments are closed.