ଆସନ୍ତାକାଲିଠୁ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ, ସାମିଲ ହେବେ ୨୦ଟି ଦେଶର ପ୍ରତିନିଧି
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ୨୮ ତାରିଖରୁ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେବାକୁ ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଯାହାକି ୨ ଦିନ ଅର୍ଥାତ ୨୮ ଓ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଚଳିତ ମାସ ମୋଦିଙ୍କ ଏହା ଦ୍ବିତୀୟ ଗସ୍ତ ଅଟେ। ପ୍ରବାସୀ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗତ ଜାନୁଆରୀ ୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ତାରିଖରେ କନକ୍ଲେଭର ଉଦଘାଟନ କରିବେ।
ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏଥିରେ ଯୋଗ ଦେବେ। ଷ୍ଟାର୍ଟଅପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ସୁଭଦ୍ରା ଯୋଜନାକୁ ନେଇ ସ୍ଵତନ୍ତ୍ର ଭାବେ ଥିମ ବେଶ ସେସନ ହେବ। ୨୦ଟି ଦେଶର ପ୍ରତିନିଧି ଏହି ସେସନରେ ଭାଗ ନେବେ। ସର୍ବସାଧାରଣଙ୍କ ପାଇଁ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ କାର୍ଯ୍ୟକ୍ରମ ଖୋଲା ରହିବ। କେବଳ ଜାନୁଆରୀ ୩୦ ତାରିଖ ଗୋଟିଏ ଦିନ ସର୍ବସାଧାରଣ ପାଇଁ ଖୋଲା ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ପ୍ରଥମ ଥର ପାଇଁ ୨୦୦ ଜାତୀୟ ପରିଷଦ ସଦସ୍ୟ ଆସିବେ। ଜାତୀୟ ପରିଷଦ ସଦସ୍ୟଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫’ରେ ଯୋଗ ଦେବା ପାଇଁ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏହି ସମାରୋହରେ ୧୬ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗଦେବେ। ଏସ୍ଏଲ୍ ମିତ୍ତଲ, ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ ଭଳି ଜଣାଶୁଣା ଶିଳ୍ପପତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିବେ। ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଭିଏତନାମ ଇଟାଲୀ, ବେଲାରୁସ, ୟୁକେ ପରି ୧୬ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ। ଉତ୍କର୍ଷ ଓଡ଼ିଶାରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି। ନୂଆ ସରକାରର ୭ ମାସ ମଧ୍ୟରେ ୧୫୯ ଶିଳ୍ପକୁ ଅନୁମୋଦନ ମିଳିଛି। ୨ ଲକ୍ଷ ୭୫ ହଜାର କୋଟି ପୁଞ୍ଜି ନିବେଶ ଆସିଛି ଓଡ଼ିଶା। ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି।