Odisha Link
Bridging the Missing Links in Odisha

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ୨୮ ତାରିଖରୁ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେବାକୁ ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଯାହାକି ୨ ଦିନ ଅର୍ଥାତ ୨୮ ଓ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଚଳିତ ମାସ ମୋଦିଙ୍କ ଏହା ଦ୍ବିତୀୟ ଗସ୍ତ ଅଟେ। ପ୍ରବାସୀ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗତ ଜାନୁଆରୀ ୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ତାରିଖରେ କନକ୍ଲେଭର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ବିମାନବନ୍ଦରରୁ ଜନତା ମୈଦାନ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ବ୍ଲୁ ବୁକ୍‌ ଅନୁସାରେ କମିଶନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ ଓ ୪୦୦ ବରିଷ୍ଠ ଅଧିକାରୀ।

ଗସ୍ତ ସୂଚୀ ଅନୁସାରେ, ପ୍ରଧାନମନ୍ତ୍ରୀ ସକାଳ ୧୦ଟା ୩୫ରେ ଭୁବନେଶ୍ଵରରେ ପହଞ୍ଚିବେ। ବିମାନବନ୍ଦରରୁ ସିଧା ଜନତା ମଇଦାନ ଯିବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୧ଟାରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଉଦଘାଟନ କରିବେ। ୧୨ଟା ୩୦ ଯାଏ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ରହିବେ, ୧୨ଟା ୫୫ ମିନିଟରେ ଓଡ଼ିଶାରୁ ଉତ୍ତରାଖଣ୍ଡ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ୨୦୦ ଜାତୀୟ ପରିଷଦ ସଦସ୍ୟ ଆସିବେ। ଜାତୀୟ ପରିଷଦ ସଦସ୍ୟଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ। ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’ରେ ଯୋଗ ଦେବା ପାଇଁ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏହି ସମାରୋହରେ ୧୬ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗଦେବେ। ଏସ୍‌ଏଲ୍‌ ମିତ୍ତଲ, ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ ଭଳି ଜଣାଶୁଣା ଶିଳ୍ପପତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିବେ।

ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଭିଏତନାମ ଇଟାଲୀ, ବେଲାରୁସ, ୟୁକେ ପରି ୧୬ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ। ଉତ୍କର୍ଷ ଓଡ଼ିଶାରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି। ନୂଆ ସରକାରର ୭ ମାସ ମଧ୍ୟରେ ୧୫୯ ଶିଳ୍ପକୁ ଅନୁମୋଦନ ମିଳିଛି। ୨ ଲକ୍ଷ ୭୫ ହଜାର କୋଟି ପୁଞ୍ଜି ନିବେଶ ଆସିଛି ଓଡ଼ିଶା। ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.