ଉତ୍ତରାଖଣ୍ଡରେ ଲାଗୁ ହେଲା ଏକକ ନାଗରିକ ସଂହିତା, ଆଇନକାନୁନରେ ବଡ଼ ପରିବର୍ତ୍ତନ
ଓଏଲ୍ ବ୍ୟୁରୋ: ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା ଦେଶରେ ବିଭିନ୍ନ ଧର୍ମମତ ନିର୍ବିଶେଷରେ ଏକ ପ୍ରକାରର ଆଇନ କାନୁନ ଲାଗୁ କରିବା ପାଇଁ ଉଦ୍ଦିଷ୍ଟ। ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଚୟନ ତଥା ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ ଏକକ ଆଇନ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ବିଧି ବ୍ୟବସ୍ଥା ରହିଛି।
ଉତ୍ତରାଖଣ୍ଡରେ ଲାଗୁ ହୋଇଛି ଏକକ ନାଗରିକ ସଂହିତା। ଏହି ନିୟମ ଲାଗୁ କରିବାରେ ଦେଶରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ। ଯେଉଁଠାରେ ଆଇନ କାନୁନରେ ବଡ ପରିବର୍ତ୍ତନ ହେବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ କହିବାନୁସାରେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ବର୍ତ୍ତମାନଠାରୁ ରାଜ୍ୟରେ ଲିଙ୍ଗ, ଧର୍ମ ଆଧାରରେ କୌଣସି ଭେଦଭାବ ହେବ ନାହିଁ। ଏହାସହିତ ରାଜ୍ୟରେ ହଲାଲ ଏବଂ ବହୁବିବାହର ପରିସମାପ୍ତି ଘଟିବ।
ଏକକ ନାଗରିକ ସଂହିତାର ସମସ୍ତ ନିୟମ ଲାଗୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଥିଲେ, ୨୦୨୨ ବିଧାନସଭା ନିର୍ବାଚନରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛୁ। ସମସ୍ତ ଔପଚାରିକତା ପୂର୍ଣ୍ଣ କରିବା ପରେ ଏକକ ନାଗରିକ ସଂହିତା ଲାଗୁ କରାଯିବ। ତେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଅବସରରେ UCC ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।
ଆଜିଠାରୁ ଏକକ ନାଗରିକ ସଂହିତାର ସମସ୍ତ ନିୟମ ଲାଗୁ ହୋଇଛି। ଏନେଇ ଗତ ବର୍ଷ ପ୍ରଣୟନ ହୋଇଥିଲା ଆଇନ। ଏହାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି। ୟୁସିସି ଲାଗୁ ହେବା ସଙ୍ଗେ ସଙ୍ଗେ ଅନେକ ଆଇନରେ ତୁରନ୍ତ ପରିବର୍ତ୍ତନ ଆସିବ। ରାଜ୍ୟ ସରକାର ଏହାକୁ ଲାଗୁ କରିବା ପୂର୍ବରୁ ଏ ନେଇ ରାଜ୍ୟବାସୀଙ୍କୁ ସଚେତନ ମଧ୍ୟ କରିଛନ୍ତି।
ସୂଚନା ଅନୁସାରେ, ୟୁସିସି ଲାଗୁ ହେବା ନେଇ ଅନେକ ଦିନ ଧରି ବାଦ ବିବାଦ ଲାଗିଥିଲା। ସାରା ଦେଶରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ୟୁସିସିକୁ ନେଇ ପୁରା ଉତ୍ତରାଖଣ୍ଡରେ ଜନତାଙ୍କ ମତ ସଂଗ୍ରହ କରାଯାଇଥିଲା। ଏହାକୁ ନେଇ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯାଇଥିଲା । କିଛି ଦିନ ତଳେ ଉତ୍ତରାଖଣ୍ଡ କ୍ୟାବିନେଟ ୟୁସିସିର ନିୟମାବଳୀ ନେଇ ଅନୁମୋଦନ ଦେଇଥିଲେ। ଏହାକୁ ଲାଗୁ କରିବା ନେଇ ଉତ୍ତରାଖଣ୍ଡ ସରକାର ପୁରା ପ୍ରସ୍ତୁତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଧାମୀ।
ଭାରତୀୟ ସମ୍ବିଧାନ ସାମାଜିକ ସମଭାବପନ୍ନ ଏବଂ ଧର୍ମନିରପେକ୍ଷତାରେ ବିଶ୍ବାସ ରଖୁଥିବା ବେଳେ ଏବେ ସୁଦ୍ଧା ଦେଶରେ ଭିନ୍ନ ଭିନ୍ନ ଧର୍ମାବଲମ୍ବିଙ୍କ ମଧ୍ୟରେ ରହିଛି ନିଜସ୍ଵ ସାମାଜିକ ପଦ୍ଧତି। ଯଦିଓ କୌଣସି ଧର୍ମର ବିରୁଦ୍ଧାଚରଣ କରିବା ନିମନ୍ତେ ପ୍ରସ୍ତାବିତ ସିଭିଲ କୋଡରେ ଉଲ୍ଲେଖ ନହିଁ, କିନ୍ତୁ ଧର୍ମ ମତ ନିର୍ବିଶେଷରେ ଏକତ୍ଵ ବା ସମାନତ୍ଵ ରହିବା ଉପରେ ଏଥିରେ ଗୁରୁତ୍ଵାରୋପ କରାଯାଇଛି । ଅର୍ଥାତ ନାଗରିକଙ୍କ ମୌଳିକ ଅଧିକାର ଏଥିରେ ଅଧିକ ସୁଦୃଢ ହେବ ନେଇ ଗୁରୁତ୍ଵାରୋପ କରାଯାଇଛି।