ଚମ୍ପିଆନ୍ସ ଟ୍ରଫି: ଆରମ୍ଭ ହେଲା ଟିକେଟ୍ ବିକ୍ରି, ଜାଣନ୍ତୁ କେତେ ରହିଛି ଦର
ଓଏଲ୍ ବ୍ୟୁରୋ: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଚଳିତ ଥର ପାକିସ୍ତାନ ଏବଂ ଦୁବାଇରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ଚମ୍ପିଆନ୍ସ ଟ୍ରଫିି ମହାକୁମ୍ଭ ଲଢ଼େଇ ପାଇଁ ଆଜିଠୁ ଟିକେଟ ବିକ୍ରି ଆରମ୍ଭ ହେବ। ଏନେଇ ଅଇସିସି ପକ୍ଷରୁ ଦିଆଯାଇଛି ସୂଚନା।
ଆଇସିସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୨୮ ତାରିଖ ମାନେ ମଙ୍ଗଳବାର ଠାରୁ ଚମ୍ପିଆନ୍ସ ଟ୍ରଫି ୨୦୨୫ ଲାଗି ଟିକେଟ୍ ବିକ୍ରି ଆରମ୍ଭ ହେବ। ମଙ୍ଗଳବାର ଦିନ ଅପରାହ୍ନ ୨ଟା ୩୦ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଚମ୍ପିଆନ୍ସ ଟ୍ରଫିର ଜେନେରାଲ୍ ଟିକେଟ୍ ଦାମ୍ ୧୦୦୦ ପାକିସ୍ତାନୀ ମୁଦ୍ରାରୁ ଆରମ୍ଭ ହେବ। ଏହାବ୍ୟତୀତ ପ୍ରିମିୟମ୍ ଟିକେଟ୍ର ଦାମ୍ ପାକିସ୍ତାନୀ ମୁଦ୍ରା ୧୫୦୦ ଟଙ୍କାରୁ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଛି।
ଟିକେଟ୍ ବିକ୍ରି ପାଇଁ ଅଫଲାଇନ୍ ଏବଂ ଅନ୍ଲାଇନ୍ର ବ୍ୟବସ୍ଥା କରାଯାଇଛି। ଅଫଲାଇନ୍ରେ ଟିକେଟ୍ ବିକ୍ରି ପାଇଁ ପାକିସ୍ତାନରେ ୧୦୦ଟି ଆଉଟ୍ଲେଟ୍ର ବ୍ୟବସ୍ଥା କରାଯାଇଛି। କେବଳ ଲିଗ୍ ଓ ସେମି ମୁକାବିଲା ପାଇଁ ଟିକେଟ୍ ବିକ୍ରି କରାଯିବ। ବାକି ଫାଇନାଲ ମ୍ୟାଚ୍ ପାଇଁ ବର୍ତ୍ତମାନ କୌଣସି ଟିକେଟ୍ ବିକ୍ରି କରାଯିବନାହିଁ। ଫାଇନାଲ ମ୍ୟାଚ୍ ପାଇଁ ପରବର୍ତ୍ତୀ ସମୟରେ ଟିକେଟ୍ ବିକ୍ରି କରାଯିବ ବୋଲି ସୂଚନା ମିଳିଛି। ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଦୁବାଇ/ଲାହୋରରେ ଖେଳାଯିବ।
ଚଳିତଥର ମୋଟ ୮ଟିି ଟିମ୍ ଚମ୍ପିଆନ୍ସ ଟ୍ରଫି ଟାଇଟଲ୍ ପାଇଁ ଲଢ଼େଇ କରିବେ। ଦୁଇଟି ଗ୍ରୁପରେ ବିଭାଜିତ ହୋଇଛନ୍ତି ୮ଟି ଟିମ୍। ଗ୍ରୁପ ଏ ରେ ଆୟୋଜକ ପାକିସ୍ତାନ, ଭାରତ, ନ୍ୟୁଜିଲାଣ୍ଡ, ବାଂଲାଦେଶ ଥିବାବେଳେ ଗ୍ରୁପ ବି ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯାଏଁ ୮ ଥର ଖେଳାଯାଇଛି ଚମ୍ପିଆନ୍ସ ଟ୍ରଫି । ୧୯୯୮ରେ ପ୍ରଥମ ଥର ପାଇଁ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ଯେଉଁଥିରେ ବାଜି ମାରିଥିଲା ଦକ୍ଷିଣ ଆଫ୍ରିକା। ଏହାପରେ ୨ୟ ସଂସ୍କରଣରେ ଜିତିଥିଲା ନିଜ୍ୟୁଲାଣ୍ଡ, ୩ୟ ସଂସ୍କରଣରେ ଭାରତ ଏବଂ ଶ୍ରୀଲଙ୍କାକୁ ଯୌଥ ବିଜୟ ଭାବେ ଘୋଷଣା କରାଯାଇଥିଲା । ୪ର୍ଥ ସଂସ୍କରଣରେ ବିଜୟୀ ହୋଇଥିଲା ଓ୍ୱେଷ୍ଟଇଣ୍ଡିଜ୍, ୫ମ ଏବଂ ୬ଷ୍ଠ ସଂସ୍କରଣରେ ଜିତିଥିଲା ଅଷ୍ଟ୍ରେଲିଆ, ୭ମ ସଂସ୍କରଣରେ ଜିତିଥିଲା ଟିମ୍ ଇଣ୍ଡିଆ, ୮ମ ସଂସ୍କରଣରେ ପାକିସ୍ତାନ ହୋଇଥିଲା ଚମ୍ପିଆନ୍।