Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର ଇଞ୍ଜିନ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେଉଛି ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଯାହାକି ୨ ଦିନ ଅର୍ଥାତ ୨୮ ଓ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି। ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫କୁ ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶ, ବିଦେଶର ନିବେଶକ ଓ ପ୍ରତିନିଧିଙ୍କୁ ସ୍ଵାଗତ। ଜଗନ୍ନାଥଙ୍କ ପବିତ୍ର ମାଟିକୁ ଆପଣ ସମସ୍ତଙ୍କୁ ସାଦର ସ୍ଵାଗତ। ଆପଣମାନଙ୍କ ସହଯୋଗରେ ଓଡ଼ିଶାର ଦିଶା ବଦଳିବ। କନକ୍ଲେଭ୍‌ରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଉଛି।

ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି। ବିଦେଶ ଗସ୍ତ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି।ଏହାର ସୁଫଳ ଆଜି ମିଳିବାକୁ ଯାଉଛି। ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ। ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶିଳ୍ପାନୁଷ୍ଠାନର ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ସ୍ପଷ୍ଟ। କୋଇଲା, ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ଆହୁରି ବ୍ୟାପକ କରିବାକୁ ପ୍ରୟାସ କରାଯାଇଛି। ମାନବ ସମ୍ବଳକୁ ବୃଦ୍ଧି ସହ ସେମିକଣ୍ଡକ୍ଟର, IT କ୍ଷେତ୍ରକୁ ସଶକ୍ତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା ସମୃଦ୍ଧ ଓ ବିକଶିତ ହେବ। ପ୍ରଧାନମନ୍ତ୍ରୀଙ୍କ ନାରା `ଏହି ସମୟ, ପ୍ରକୃତ ସମୟ’କୁ ପାଥେୟ କରି ଆଗକୁ ବଢ଼ିବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଉପସ୍ଥିତ ରହିଛନ୍ତି। କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ, କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଛନ୍ତି। ସେହିଭଳି ଓଡ଼ିଶାର ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.