ରାଜକୋଟ୍ରେ କିଏ କରିିବ ରାଜ ? ୨ଟି ପରିବର୍ତ୍ତନ ସହିିତ ପଡ଼ିଆକୁ ଓହ୍ଲାଇପାରେ ଭାରତ

ଓଏଲ୍ ବ୍ୟୁରୋ: ଆଉ ମାତ୍ର କିଛି ସମୟର ଅପେକ୍ଷା। ଟି-୨୦ ସିରିଜର ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ତେବେ ଦୁଇଟି ମ୍ୟାଚ ଜିତିଥିବା ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ରାଜକୋଟ୍ ଟି-୨୦ରେ ସଭିଙ୍କ ନଜର ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଉପରେ ରହିବ। ଅଲରାଉଣ୍ଡର ଶିବମ ଦୁବେ ଓ ରମଣଦୀପ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତୀୟ ଦଳର ମଧ୍ୟକ୍ରମରେ ବ୍ୟାଟିଂ କରି ସ୍ପିନରଙ୍କୁ ପ୍ରହାର କରିଥିବା ଶିବମ ଦୁବେ ଆଜିର ମ୍ୟାଚ୍ରେ ଲେଗ୍ ସ୍ପିନର ଆଦିଲ ରଶିଦଙ୍କ ବିରୋଧରେ ପ୍ରଭାବଶାଳୀ ରହି ପାରନ୍ତି। ରମଣଦୀପ ସିଂ ମଧ୍ୟ ବଡ ସଟ୍ ଲଗାଇବାରେ ମାହିର ଏବଂ ବୋଲିଂ ବି କରି ପାରିବେ। ଶିବମ ଭାରତ ପାଇଁ ୩୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୪୪୮ ରନ କରିବା ସହ ୧୧ ଓ୍ଵିକେଟ୍ ନେଇଛନ୍ତି।
ଯଦି ଦୁବେ ଓ ରମଣଦୀପଙ୍କୁ ଆଜିର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳେ ତେବେ ଧ୍ରୁବ ଜୁରେଲଙ୍କ ସହିତ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ମଧ୍ୟ ମ୍ୟାଚ୍ରେ ବସିବାକୁ ପଡ଼ିପାରେ। ଅନ୍ୟପଟେ ଏହି ମୁକାବିଲାରେ ସଭିଙ୍କ ନଜର ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ,ଯିଏ କିଛି ସମୟ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସୂର୍ଯ୍ୟଙ୍କ ବ୍ୟତୀତ ସଞ୍ଜୁ ସାମସନଙ୍କଠୁ ବଡ଼ ଇନିଂସର ଆଶା ରହିବ। ସାମସନଙ୍କ ସଟ୍ ବଲ୍ ଖେଳିବାରେ ଥିବା ଦୁର୍ବଳତା ପୁଣି ଥରେ ଜଣା ପଡ଼ିଛି। ଏହା ବାଦ୍ ବୋଲିଂରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ ରହିଛି।