Odisha Link
Bridging the Missing Links in Odisha

ଯୁବ ଉଦ୍ୟୋଗୀ ବିକଶିତ ଓଡ଼ିଶାର ଧର୍ମପଦ: ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଶିଳ୍ପ ମହାକୁମ୍ଭ। ଉତ୍କର୍ଷ ଓଡ଼ିଶା କନକ୍ଲେଭର ଆଜି ଦ୍ବିତୀୟ ଦିନ। ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ଼ ବଡ଼ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି। ଆଜି `ଉତ୍କର୍ଷ ଓଡ଼ିଶା’ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ଦ୍ଵିତୀୟ ଦିନରେ କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ନେଇ ଆଲୋଚନା ହେବ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି।

ଓଡ଼ିଶାରେ ନିବେଶ କରିବା ପାଇଁ ଏହି ସମୟ ହିଁ ଉପଯୁକ୍ତ ସମୟ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନୂଆ ବିପ୍ଲବ ଆଣିବା ପାଇଁ ବେଶ୍ ସକ୍ଷମ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚାଷୀ ଓ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଯିବ। ସ୍ମାର୍ଟଫାର୍ମା ଏବଂ ଡିଜିଟାଲ୍ ମାର୍କେଟିଂ ଦିଗରେ ଆମ ସରକାର କାର୍ଯ୍ୟ କରୁଛନ୍ତି। ଜୈବିକ ପ୍ରଣାଳୀରେ ଚାଷ କରିବା ଦିଗରେ ଆମ ସରକାରଙ୍କ ଫୋକସ୍। ଆସନ୍ତୁ ଓଡ଼ିଶାର କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜି ନିବେଶ କରନ୍ତୁ। ଯୁବ ଉଦ୍ୟୋଗୀମାନେ ବିକଶିତ ଓଡ଼ିଶାର ଜଣେ ଜଣେ ଧର୍ମପଦ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି।

ସୂଚନା ଅନୁସାରେ, ଗତକାଲି ଜନତା ମଇଦାନରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ। ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫କୁ ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଉପସ୍ଥିତ ରହିଛନ୍ତି। ଏବେ ସୁଦ୍ଧା ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ଟି ଏମଓୟୁ ସ୍ବାକ୍ଷରିତ କରିଛନ୍ତି ରାଜ୍ୟ ସରକାର। ୪.୫ ଲକ୍ଷ କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି।

ପ୍ରଥମ ଦିନରେ ଆଦାନୀ ଗ୍ରୁପ ସର୍ବାଧିକ ନିବେଶ ପାଇଁ ହଁ ଭରିଛି। ଓଡ଼ିଶାରେ ଆଦାନୀ ଗ୍ରୁପ୍ ୨ ଲକ୍ଷ ୨୮ ହଜାର କୋଟିର ନିବେଶ କରିବ। ଗୋପାଳପୁର ଓ ଧାମରା ବନ୍ଦର ସମ୍ପ୍ରସାରଣ କରିବ ଆଦାନୀ ଗ୍ରୁପ୍। ସେହିପରି କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ କରିବ ଜେଏସଡବ୍ଲୁ। ଏଠାରେ ୫ ମିଲିଅନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ଶିଳ୍ପ ଅନୁକୂଳ ଥିବା ପ୍ରତି ଜିଲ୍ଲାରେ ଗଢିଉଠିବ ନୂଆ ନୂଆ ଶିଳ୍ପ।

ଏଥିପାଇଁ ବିଭିନ୍ନ ପ୍ରକଳ୍ପରେ ଓଡ଼ିଶାରେ ୧ ଲକ୍ଷ କୋଟିର ନିବେଶ କରିବ ବେଦାନ୍ତ ଗ୍ରୁପ୍। ସେହିପରି ପଶ୍ଚିମ ଓଡ଼ିଶାରେ ୫୦ ହଜାର କୋଟି ନିବେଶ କରି ବିର୍ଲା ଗ୍ରୁପ୍ କପର ବଏଲ ପ୍ଲାଣ୍ଟ କରିବ। ଜେଏସପିଏଲ ୭୦ ହଜାର କୋଟିର ନିବେଶ ପାଇଁ ଏମଓୟୁ କରିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆଶା ରଖିଛି ଓଡ଼ିଶା। ସମ୍ମିଳନୀର ପ୍ରଥମ ଦିନରେ ନିବେଶ ପାଇଁ ସାଢେ ୪ ଲକ୍ଷ କୋଟି ଟଙ୍କାର ଏମଓୟୁ ସରିଛି।

Leave A Reply

Your email address will not be published.