ଶତକ ପୂରଣ କଲା ଇସ୍ରୋ, ଶ୍ରୀହରିକୋଟାରୁ ଲଞ୍ଚ ହେଲା NVS-02
ଓଏଲ୍ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)। ଆଜି ସଫଳତାପୂର୍ବକ ଶ୍ରୀହରିକୋଟା ଅନ୍ତରୀକ୍ଷ କେନ୍ଦ୍ରରେ ଇସ୍ରୋ ୧୦୦ତମ ମିଶନର ସଫଳ ଲଞ୍ଚ କରି ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଆଜି ଏକ ନାଭିଗେଶନ ଉପଗ୍ରହ ଲଞ୍ଚ କରିଛି ଇସ୍ରୋ। ଇସ୍ରୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଭି ନାରାୟଣନଙ୍କ ପ୍ରଥମ ମିଶନ। ସେ ଜାନୁଆରୀ ୧୩ ତାରିଖରେ ଇସ୍ରୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଜିଏସ୍ଏଲ୍ବି ନିଜର ୧୭ତମ ଉଡ଼ାଣରେ ନେଭିଗେଶନ ଉପଗ୍ରହ ଏନବିଏସ୍-୦୨କୁ ନେଇ ଅନ୍ତରୀକ୍ଷ ଯାତ୍ରା କରିଛି। ଇସ୍ରୋ ପକ୍ଷରୁ କୁହାଯାଇଛି GSLV-F15/ NVS-02 ମିଶନ ସଫଳତାପୂର୍ବକ ସମ୍ପର୍ଣ୍ଣ ହୋଇଛି। ଅନ୍ତରୀକ୍ଷ ନେଭିଗେଶନରେ ଭାରତ ନୂଆ ସଫଳତା ହାସଲ କରିଛି।
ଏହି ନେଭିଗେଶନ ଉପଗ୍ରହ ‘ନାବିକ’ ଶୃଙ୍ଖଳାର ଦ୍ବିତୀୟ ଉପଗ୍ରହ ଅଟେ। ଯାହାର ଉଦ୍ଦେଶ୍ୟ ଭାରତୀୟ ଉପମହାଦ୍ବୀପ ସହିତ ଭାରତୀୟ ଭୂଭାଗର ପାଖାପାଖି ୧୫୦୦ କିଲୋମିଟରର ଭୌଗଳିକ ସ୍ଥିତି, ଗତି ଓ ସମୟର ସୂଚନା ପ୍ରଦାନ କରିବା।