Odisha Link
Bridging the Missing Links in Odisha

କୁମ୍ଭମେଳାରେ ବଡ଼ ଅଘଟଣ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାକୁମ୍ଭ। ତ୍ରିବେଣୀ ସଙ୍ଗମ ସ୍ଥଳ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ। ୫୫ ଦିନ ଧରି ଚାଲିବ ଧାର୍ମିକ ମହୋତ୍ସବ। ହର ହର ମହାଦେବ ଧ୍ବନିରେ କମ୍ପୁଛି ଗଙ୍ଗା ନଦୀର ସଙ୍ଗମ ସ୍ଥଳ। ପ୍ରୟାଗରାଜ ମହାକୁମ୍ଭକୁ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଆଗମନ ବଢିବାରେ ଲାଗିଛି। କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଏସବୁ ଭିତରେ ଘଟିଥିବା ଏକ ଛାତିଥରା ଅଘଟଣ ଖବର ସାମ୍ନାକୁ ଆସିଛି। ସଙ୍ଗମ ସ୍ଥଳରେ ହୋଇଥିବା ଦଳାଚକଟାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି।

ସ୍ଥିତି ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି ଲେଖିଛନ୍ତି, ପରିଜନଙ୍କୁ ହରାଇଥିବା ଶ୍ରଦ୍ଧାଳୁଙ୍କ ପ୍ରତି ମୋର ଗଭୀର ସମବେଦନା। ସମସ୍ତ ଆହତଙ୍କ ଆରୋଗ୍ୟ କାମନା କରୁଛି।

ଦଳାଚକଟା ପରେ ୧୩ଟି ଆଖଡାର ସାହିସ୍ନାନ ରଦ୍ଦ କରାଯାଇଛି। ଆଜି ମୌନୀ ଅମାବାସ୍ୟା ପାଇଁ ପ୍ରୟାଗରାଜରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଇଥିଲା। ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ଏଥିପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ। ଏହି ସମୟରେ ଦଳାଚକଟା ହୋଇଥିଲା। ତେବେ ଏହି ଘଟଣା ପରେ ଜରୁରୀ ବୈଠକ ଡାକିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସୂଚନା ଅନୁସାରେ, ମହାକୁମ୍ଭରେ ଆଜି ତୃତୀୟ ଅମୃତ ସ୍ନାନ। ମୌନି ଅମାବାସ୍ୟାରେ ତୃତୀୟ ଅମୃତ ସ୍ନାନ ଦିବସ। ସକାଳ ୬ଟା ସୁଦ୍ଧା ବୁଡ଼ ପକାଇଲେ ୧.୭୫ କୋଟି ଲୋକ। ଜାନୁଆରୀ ୨୮ ସୁଦ୍ଧା ବୁଡ଼ ପକାଇଲେଣି ୧୯.୯୪ କୋଟି ଶ୍ରଦ୍ଧାଳୁ। ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ୧୪ ଦିନରେ ୨୦ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିବା ଉତ୍ତର ପ୍ରଦେଶ ସରକାର ସୂଚନା ଦେଇଛନ୍ତି। ତେବେ ୫୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ଫେବ୍ରୁଆରୀ ୨୬ ତାରିଖରେ ଅନ୍ତିମ ସାହି ସ୍ନାନ ସହ ମହାକୁମ୍ଭ ଉଦଯାପିତ ହେବ।

Leave A Reply

Your email address will not be published.