ଦିଲ୍ଲୀ ନିର୍ବାଚନ ପାଇଁ ଜୋରଦାର ପ୍ରଚାର, ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ସାମିଲ
ଓଏଲ୍ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଦିଲ୍ଲୀ ନିର୍ବାଚନ ଯେତିକି ପାଖଉଛି ରାଜେନୖତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି। ବିଜୟ ପାଇଁ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି। ଦିଲ୍ଲୀ ନିର୍ବାଚନ ଲାଗି ଆପ ଘୋଷଣାପତ୍ର ଜାରି କରିଛି।
ଘୋଷଣାପତ୍ର ଜାରି କଲେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଏଥିରେ ଦିଲ୍ଲୀବାସୀଙ୍କ ଲାଗି ଆପ ୫ ବଡ଼ ଗ୍ୟାରେଣ୍ଟି ନିଶ୍ଚିତ କରିଛି। ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଜାରି କରିଛି। ଯାହା ସବୁଠୁ ବେଶୀ ଚର୍ଚ୍ଚାରେ ରହିଛି।
ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଗସ୍ତ କରି ନିର୍ବାଚନୀ ସଭାରେ ସମ୍ବୋଧନ କରିଛନ୍ତି। ପ୍ରୟାଗରାଜ ଅଘଟଣ ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ଦିଲ୍ଲୀ ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଉପସ୍ଥିତ ଦିଲ୍ଲୀ ବାସୀଙ୍କୁ ମୋର ଧନ୍ୟବାଦ। ଏହି ସମାବେଶ ଦିଲ୍ଲୀର ଜନାଦେଶକୁ ଦର୍ଶାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦିଲ୍ଲୀ କହୁଛି ଆମ ଆଦମୀ ପାର୍ଟିର ବାହାନା ଆଉ ଚାଲିବନି, ଦିଲ୍ଲୀ କହୁଛି ଆମ ଆଦମୀ ପାର୍ଟିର ମିଛ ପ୍ରତିଶ୍ରୁତି ଆଉ ଚାଲିବନି। ଦିଲ୍ଲୀ ଚାହୁଁଛି, ବିଜେପିର ଡବଲ ଇଂଜିନ ସରକାର ଯାହା ଗରିବର କଲ୍ୟାଣ ଓ ଦିଲ୍ଲୀର ବିକାଶ ଦୁଇଟା ଏକ ସାଙ୍ଗରେ ସମ୍ଭାଳିପାରିବ। ପୁରା ଦିଲ୍ଲୀ ଆଜି କହୁଛି, ୫ ଫେବୃଆରୀ ଆସିବ, ଆମ ଆଦମୀ ପାର୍ଟି ଯିବ, ଭାରତୀୟ ଜନତା ପାର୍ଟି ଆସିବ।