ଛାତ୍ରଙ୍କୁ ସାପ କାମୁଡ଼ିବା ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
![](https://www.odishalink.com/wp-content/uploads/2025/01/WhatsApp-Image-2025-01-29-at-10.59.50-AM-750x430.jpeg)
ଓଏଲ୍ ବ୍ୟୁରୋ: କ୍ଲାସ ରୁମ ସଫା କରୁଥିଲେ ଛାତ୍ର, କାମୁଡ଼ି ଦେଲା ନାଗ ସାପ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ସ୍କୁଲରେ। ଛାତ୍ରଙ୍କୁ ସାପ କାମୁଡ଼ିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। ପୋପରଙ୍ଗା ସରକାରୀ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁଙ୍କୁ ନିଲମ୍ବନ କଲେ ବିଇଓ। ସୋମବାର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲ ପରିସରରେ ସାପ କାମୁଡ଼ିଥିଲା।
ସୂଚନା ଅନୁସାରେ, କ୍ଲାସ ରୁମରେ ପିଲାମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହି ପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ। ପିଲାମାନେ ମଧ୍ୟ ସ୍କୁଲ ଘର ସଫା କରିଥିଲେ। ଏହି ସମୟରେ ଏକ ନାଗ ସାପ ସାଇକ୍ରିଷ୍ଣାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା।
ପରେ ସାଇକ୍ରିଷ୍ଣାଙ୍କୁ କାମୁଡ଼ିଥିବା ନାଗ ସାପଟିକୁ ସ୍ନେକ ହେଲପ ଲାଇନ ଉଦ୍ଧାର କରିଥିଲେ। ଛାତ୍ରଙ୍କ ମା’ଙ୍କ କହିବା ଅନୁଯାୟୀ, ମୋ ପୁଅ ସ୍କୁଲ ଯାଇଥିଲା, ସେଠାରେ ମୋ ପୁଅକୁ ନାଗ ସାପ କାମୁଡ଼ି ଦେଇଥିଲା। ପୁଅକୁ ଦିଦି ପାଠ ପଚାରିଥିଲେ, ହେଲେ ସେ ଉତ୍ତର ଦେଇପାରି ନଥିଲା। ପୁଅ ସହ ଆଉ କିଛି ପିଲା ପାଠ କହିପାରି ନଥିଲେ। ସ୍କୁଲରେ କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କୁ ସ୍କୁଲ ଗୃହ ସଫା କରିବା ପାଇଁ କହିଥିଲେ। ସେହି ଘରେ ଚାଉଳ ରହୁଥିଲା। ଘର ସଫା କରିବା ବେଳେ ମୋ ପୁଅକୁ ନାଗ ସାପ କାମୁଡ଼ି ଦେଇଥିଲା।