ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କେଜ୍ରିଓ୍ବାଲଙ୍କ ଟାର୍ଗେଟ, କହିଲେ- ୨ ଦିନ ଜେଲ୍…
ଓଏଲ୍ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ତାତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ୫ ଦିନ ପରେ ଦିଲ୍ଲୀ ବିଧାନସଭ ନିର୍ବାଚନ ପାଇଁ ଭୋଟ ପଡ଼ିବାକୁ ଥିବାବେଳେ ଦିଲ୍ଲୀର ପୂର୍ବତତ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ନୋଟିସ୍କୁ କେନ୍ଦ୍ର କରି ରାଜୀବ କୁମାରଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି କେଜ୍ରିଓ୍ବାଲ।
କେଜ୍ରିଓ୍ବାଲ କହିଛନ୍ତି, ରାଜୀବ କୁମାର ଅବସର ପରେ ବି ଚାକିରି ଚାହୁଁଛନ୍ତି। ସେ ଯଦି ଚାହିଁବେ ଆସିକି ଗୋଟିଏ ଆସନରୁ ନିର୍ବାଚନ ଲଢ଼ନ୍ତୁ। ଏଥିସହିତ ଦୁଇ ଦିନ ଭିତରେ ମୋତେ ଜେଲରେ ପୁରେଇ ଦେବେ ବୋଲି କହିଛନ୍ତି କେଜ୍ରିଓ୍ବାଲ। ଯାହକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଛି।
ସୋମବାର ଦିନ ଅରବିନ୍ଦ କେଜ୍ରିଓ୍ବାଲ ଏକ ବୈଠକରେ କହିଥିଲେ ଯେ ହରିୟାଣାର ବିଜେପି ସରକାର ଯମୁନା ନଦୀରେ ବିଷ ମିଶେଇଥିଲା। ଯଦି ପାଣିକୁ ଦିଲ୍ଲୀ ଜଳ ବୋର୍ଡର ଇଞ୍ଜିନିୟର ନ ରୋକି ଥାନ୍ତେ ତେବେ ଦିଲ୍ଲୀରେ ନରସଂହାର ହୋଇଥାନ୍ତା। ଏନେଇ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ନିର୍ବାଚନ ଆୟୋଗ ଏନେଇ କେଜ୍ରିଓ୍ବାଲଙ୍କୁ ପ୍ରଶ୍ନ କରିଥିଲେ।
ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କହିଥିଲ, ପାଣିରେ ଅମୋନିଆ ସ୍ତର ଅଧିକା ହେବ ଓ ପାଣିରେ ବିଷ ମିଶାଇବା ଦୁଇଟି ଅଲଗା ଅଲଗା କଥା। ଏହି ଦୁଇ କଥାକୁ ଏକା ସାଥେ ମିଶାନ୍ତୁ ନାହିଁ। ନିର୍ବାଚନ ଆୟୋଗ କେଜ୍ରିଓ୍ବାଲଙ୍କୁ ଆହୁରି କହିଛନ୍ତି ଯେ ଶୁକ୍ରବାର ପାଣିରେ ବିଷ ମିଶୁଥିବାର ପ୍ରମାଣ ଦିଅନ୍ତୁ। ଯଦି ପ୍ରମାଣ ସନ୍ତୋଷଜନକ ନ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆଜି କେଜ୍ରିଓ୍ବାଲ ନିର୍ବାଚନ ଆୟୋଗରେ ନିଜର ପ୍ରମାଣ ରଖିଥିଲେ। ହେଲେ ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନାହାନ୍ତି। ନିର୍ବାଚନ ଆୟୋଗ ପ୍ରମାଣ ସହିତ ଉତ୍ତରର ରଖିବା ପାଇଁ ଆଉ ଏକ ମୌକା ଦେଇଛନ୍ତି। ଏଥିସହିତ କେଜ୍ରିଓ୍ବାଲଙ୍କୁ ନିର୍ବାଚନ ଆୟୋଗ ୫ଟି ପ୍ରଶ୍ନ କରିଛନ୍ତି।