୧ରେ ଆଗତ ହେବ କେନ୍ଦ୍ରୀୟ ବଜେଟ୍, ଇତିହାସ ରଚିବେ ନିର୍ମଳା ସୀତାରମଣ
ଓଏଲ୍ ବ୍ୟୁରୋ: ଆସନ୍ତାକାଲିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପର ଦିନ ଅର୍ଥାତ ଫେବୃଆରୀ ୧ ତାରିଖରେ ବଜେଟ ଆଗତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ଲାଗି ବଜେଟ ଉପସ୍ଥାପନ କରିବେ। ଏହାସହ ସେ ମୋରାଜୀ ଦେଶାଇଙ୍କ ରେକର୍ଡକୁ ପଛରେ ପକାଇ ଇତିହାସ ରଚିବେ।
ଦେଶାଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଅଧୀନରେ ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ସେ ସର୍ବାଧିକ ୬ଥର ବଜେଟ୍ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଥିଲେ। ସେ ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ପରେ ୧୯୭୭ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡକୁ ପଛରେ ପକାଇ ଇତିହାସ ରଚିବେ ନିର୍ମଳା ସୀତାରମଣ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପରେ ତାଙ୍କ ରେକର୍ଡ ୮ ଛୁଇଁବ।
ଫେବୃଆରୀ ୧ ତାରିଖରେ ବଜେଟ ଆଗତ ହେବ। ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ। ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ ଏବଂ ବଜେଟ ଆବଣ୍ଟନ ଉପରେ ଫୋକସ୍ ରହିବ। ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିଲ୍ଲୀ ଭୋଟ ଦିନ ବଜେଟ ଅଧିବେଶନ ଚାଲିବ ନାହିଁ। ୩ ଫେବୃଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ।
ଅନ୍ୟପଟେ, ମଧ୍ୟବିତ୍ତଙ୍କ ନଜର ଆୟକର ଟିକସ ଉପରେ। ଦରଦାମ ବୃଦ୍ଧି ସମୟରେ ଆଶ୍ବସ୍ତି ଚାହୁଁଛନ୍ତି ମଧ୍ୟବିତ୍ତ। ନୂଆ ଓ ପୁରୁଣା ଟିକସ ବ୍ୟବସ୍ଥାରେ କଣ ପରିବର୍ତ୍ତନ ହେବ। ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ। ୩ରୁ ୭ ଲକ୍ଷ ମଧ୍ୟରେ ୫ ପ୍ରତିଶତ, ୭ରୁ ୧୦ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୧୦ରୁ ୧୨ ଲକ୍ଷ ଉପରେ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ରହିଛି। ନୂଆ ଟିକସ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିବାକୁ ଗତ ବଜେଟରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥର ନୂଆ ଟିକସ ବ୍ୟବସ୍ଥାରେ କଣ ପରିବର୍ତ୍ତନ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।
ସେପଟେ ପୁରୁଣା ଟିକସ ବ୍ୟବସ୍ଥାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି। ଏଥିରେ ନିର୍ମଳା ସୀତାରଣ କିଛି ପରିବର୍ତ୍ତନ କରିବେ ନା ଅପରିବର୍ତ୍ତିତ ରଖିବେ ନା ପୂରା ଉଚ୍ଛେଦ କରିବେ, ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ପୁରୁଣା ବ୍ୟବସ୍ଥାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ନାହିଁ। ଏହାସହ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫%, ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୦% ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଦେବାକୁ ପଡୁଛି। ତେବେ ଏଥର ବଜେଟରେ କାହା ପାଇଁ ସୁବିଧା ଆଣିଦେବ ତାହା ଦେଖିବାକୁ ଅପେକ୍ଷା ରହିଛି।