ଦିଲ୍ଲୀ ନିର୍ବାଚନରେ ‘ଯମୁନା’ ତାତି, କେଜ୍ରିଓ୍ବାଲଙ୍କ ଉପରେ ଅସନ୍ତୁଷ୍ଟ ନିର୍ବାଚନ ଆୟୋଗ

ଓଏଲ୍ ବ୍ୟୁରୋ: ଫେବ୍ରୁଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଶେଷ ପର୍ଯ୍ୟାୟରେ ନିର୍ବାଚନୀ ପ୍ରଚାର ପହଁଞ୍ଚିଥିବା ବେଳେ ଯମୁନା ନଦୀର ପ୍ରଦୂଷଣ ମାମଲା ଏବେ ବଡ଼ ରାଜନୈତିକ ମୁଦ୍ଦା ହୋଇଛି। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଓ ଆମ ଆଦମୀ ପାର୍ଟି। ଏସବୁ ମଧ୍ୟରେ ନିର୍ବାଚନ ଆୟୋଗ ଦିଲ୍ଳୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କଡ଼ା ତାଗିଦ କରିଛନ୍ତି। ଯାହା ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।
ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କହିଛନ୍ତି, ପାଣିରେ ଅମୋନିଆ ସ୍ତର ଅଧିକା ହେବ ଓ ପାଣିରେ ବିଷ ମିଶାଇବା ଦୁଇଟି ଅଲଗା ଅଲଗା କଥା। ଏହି ଦୁଇ କଥାକୁ ଏକା ସାଥେ ମିଶାନ୍ତୁ ନାହିଁ। ନିର୍ବାଚନ ଆୟୋଗ କେଜ୍ରିଓ୍ବାଲଙ୍କୁ ଆହୁରି କହିଛନ୍ତି ଯେ ଶୁକ୍ରବାର ପାଣିରେ ବିଷ ମିଶୁଥିବାର ପ୍ରମାଣ ଦିଅନ୍ତୁ। ଯଦି ପ୍ରମାଣ ସନ୍ତୋଷଜନକ ନ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆଜି କେଜ୍ରିଓ୍ବାଲ ନିର୍ବାଚନ ଆୟୋଗରେ ନିଜର ପ୍ରମାଣ ରଖିଥିଲେ। ହେଲେ ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନାହାନ୍ତି। ନିର୍ବାଚନ ଆୟୋଗ ପ୍ରମାଣ ସହିତ ଉତ୍ତରର ରଖିବା ପାଇଁ ଆଉ ଏକ ମୌକା ଦେଇଛନ୍ତି। ଏଥିସହିତ କେଜ୍ରିଓ୍ବାଲଙ୍କୁ ନିର୍ବାଚନ ଆୟୋଗ ୫ଟି ପ୍ରଶ୍ନ କରିଛନ୍ତି।
ସୂଚନାଥାଉକି, ସୋମବାର ଦିନ ଅରବିନ୍ଦ କେଜ୍ରିଓ୍ବାଲ ଏକ ବୈଠକରେ କହିଥିଲେ ଯେ ହରିୟାଣାର ବିଜେପି ସରକାର ଯମୁନା ନଦୀରେ ବିଷ ମିଶେଇଥିଲା। ଯଦି ପାଣିକୁ ଦିଲ୍ଲୀ ଜଳ ବୋର୍ଡର ଇଞ୍ଜିନିୟର ନ ରୋକି ଥାନ୍ତେ ତେବେ ଦିଲ୍ଲୀରେ ନରସଂହାର ହୋଇଥାନ୍ତା। ଏନେଇ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ନିର୍ବାଚନ ଆୟୋଗ ଏନେଇ କେଜ୍ରିଓ୍ବାଲଙ୍କୁ ପ୍ରଶ୍ନ କରିଥିଲେ। କେଜ୍ରିଓ୍ବାଲ ଆଜି ନିଜର ଉତ୍ତର ରଖିଥିବା ବେଳେ ପୁଣିଥରେ ନିର୍ବାଚନ ଆୟୋଗ କେଜ୍ରିଓ୍ବାଲଙ୍କୁ ପ୍ରଶ୍ନ କରିଛନ୍ତି।