Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ଚେତାବନୀ ପରେ ରାସନକାର୍ଡ ଫେରାଇଲେ ସରକାରୀ ଚାକିରିଆ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ରାସନକାର୍ଡ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ୩୯ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ କରିନାହାନ୍ତି। ଏବେ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ଏସବୁ ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମନ୍ତ୍ରୀଙ୍କ ଚେତାବନୀ ପରେ ରାସନ୍‌ କାର୍ଡ ଫେରାଇଲେଣି ୧୨ ହଜାର ସରକାରୀ ଚାକିରିଆ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସରକାରୀ ଚାକିରିଆଙ୍କୁ କାର୍ଡ ଫେରାଇବା ପାଇଁ ଆସନ୍ତାକାଲି ଡେଡ୍‌ଲାଲଇନ୍ ରହିଛି। ହାତରେ ଆଉ ଦୁଇ ଦିନ ଥିବାରୁ ଅନ୍ୟମାନେ ତୁରନ୍ତ ଫେରାଇବାକୁ ମନ୍ତ୍ରୀ କହିଛନ୍ତି। ଯେଉଁମାନେ କାର୍ଡ ସରେଣ୍ଡର କରିବେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନଷ୍ଠାନ ହେବ ନାହିଁ। ଆଉ ସମୟ ପୂରିବା ପରେ ଧରା ପଡିଲେ କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୪୪୩ ସରକାରୀ ଚାକିରିଆ ହାତେଇଛନ୍ତି ରାସନ କାର୍ଡ। ଏଚ୍‌ଆର୍‌ଏମ୍‌ଏସ୍‌ରୁ ଏଭଳି ତଥ୍ୟ ଧରାପଡ଼ିଛି। ଏହି ରିପୋର୍ଟ ଆସିବା ପରେ ଜିଲ୍ଲା ଯୋଗାଣ ବିଭାଗ ସମ୍ପୃକ୍ତ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ କାଟିବା ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୨୭ଜଣ ଚାକିରିଆଙ୍କ କାର୍ଡ କଟା ସରିଲାଣି। ଜିଲ୍ଲାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳୁନଥିବା ବେଳେ ସରକାରଙ୍କ ବେତନ ପାଉଥିବା ଚାକିରିଆମାନେ ବେଆଇନ ଭାବେ କାର୍ଡ ହାତେଇ ମାସକୁ ମାସ ପିଡିଏସ୍‌ ସାମଗ୍ରୀ ଉଠାଉଛନ୍ତି।

ଯୋଗାଣ ବିଭାଗ ତଥ୍ୟ କହୁଛି, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧ଲକ୍ଷ ୯୮ହଜାରରୁ ଅଧିକ ରାସନ କାର୍ଡ ହିତାଧିକାରୀ ଅଛନ୍ତି। ଯୋଗ୍ୟ ଓ ଅଯୋଗ୍ୟଙ୍କୁ ବାଛିବା ପାଇଁ ଗତବର୍ଷ ଅଗଷ୍ଟ ୨୨ତାରିଖରୁ ରାଜ୍ୟ ସରକାର ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାରେ ୮୦ପ୍ରତିଶତରୁ ଅଧିକ ହିତାଧିକାରୀଙ୍କ ଯାଞ୍ଚ ସରିଲାଣି। ଏହି ଯାଞ୍ଚରେ ୧୪୪୩ଜଣ ସରକାରୀ ଚାକିରିଆ ଧରାପଡ଼ିଲେଣି। ଚଳିତ ମାସ ୨୮ ତାରିଖ ସୁଦ୍ଧା ଏତିକି ଅଯୋଗ୍ୟ ବାହାରିଥିଲା ବେଳେ ଆଗକୁ ଏହି ସ˚ଖ୍ୟା ବଢ଼ିବାର ସମ୍ଭାବନା ରହିଛି।

Leave A Reply

Your email address will not be published.