ରାଜ୍ୟରେ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ଆରମ୍ଭ, ସହଜ ହେବ ଗାଡ଼ିର ଫିଟନେସ ପରୀକ୍ଷା

ଓଏଲ୍ ବ୍ୟୁରୋ: ମୋଟର ଯାନ ଫିଟନେସ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା ଏଟିଏସ ପଞ୍ଜୀକୃତ ହୋଇଛି। କଟକ ଆରଟିଓ ଅଧୀନରେ ଏହାର ସ୍ଥାପନା ହୋଇଛି। ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହା ଗାଡ଼ିର ଫିଟନେସ ପରୀକ୍ଷା କରିବ। କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଖୁବଶୀଘ୍ର ରାଜ୍ୟରେ ଆହୁରି ୨୧ଟି ଏଟିଏସ ସ୍ଥାପନା ହେବ ବୋଲି ଜଣାପଡିଛି।
ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା। ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନ ଥିବା ଗାଡ଼ି ଗୁଡ଼ିକ ସ୍ୱୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ। ଯାହା ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି।