ବଡ଼ ଖବର: ମହାକୁମ୍ଭକୁ OSRTCର ସ୍ୱତନ୍ତ୍ର ବସ୍ ବାତିଲ୍
ଓଏଲ୍ ବ୍ୟୁରୋ: ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାକୁମ୍ଭ। ତ୍ରିବେଣୀ ସଙ୍ଗମ ସ୍ଥଳ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ। ୫୫ ଦିନ ଧରି ଚାଲିବ ଧାର୍ମିକ ମହୋତ୍ସବ। ପ୍ରୟାଗରାଜ ମହାକୁମ୍ଭକୁ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଆଗମନ ବଢିବାରେ ଲାଗିଛି। କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଏସବୁ ଭିତରେ ଘଟିଥିବା ଏକ ଛାତିଥରା ଅଘଟଣ ଖବର ସାମ୍ନାକୁ ଆସିଛି। ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍ ବାତିଲ୍ ହୋଇଛି।
ଫେବୃଆରୀ ୪ ତାରିଖ ଯାଏଁ ଓଏସଆରଟିସିର ସ୍ୱତନ୍ତ୍ର ବସ୍ ବାତିଲ୍ କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏସଆରଟିସି ପକ୍ଷରୁ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଯେଉଁମାନେ ଆଗୁଆ ଟିକେଟ୍ କରିଥିଲେ, ସେମାନେ ଯୋଗାଯୋଗ କରି ପାରିବେ।
ସୂଚନାନୁଯାୟୀ, ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଥିଲା। ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଦଳାଚକଟାରେ ୯୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି।