କଣାସରେ ବ୍ୟାପୁଛି ହଇଜା, ଚିନ୍ତା ପ୍ରକଟ କଲେ ନବୀନ ପଟ୍ଟନାୟକ
ଓଏଲ୍ ବ୍ୟୁରୋ: ପୁରୀ କଣାସ ଅଞ୍ଚଳରେ ହଇଜାରେ ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ କରିଛି ସ୍ଵାସ୍ଥ୍ୟ ବିଭାଗ। ଯାହାକୁ ନେଇ ନବୀନ ପଟ୍ଟନାୟକଙ୍କ ଚିନ୍ତା ପ୍ରକଟ କରିଛନ୍ତି। ଟ୍ୱିଟ କରି ଲେଖିଛନ୍ତି, ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ସ୍ଥିତିରେ ପହଁଚିଛି, ଲୋକଙ୍କ ଜୀବନ ବିପଦରେ ପଡ଼ିଛି। ଘଟଣାରେ ୬ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ହେବା ମୋତେ ଦୁଃଖିତ କରିଛି।
ଜାନୁଆରୀ ୨ ତାରିଖରୁ ସ୍ଥାନୀୟ ଅଞ୍ଚଳରେ ହଇଜା ସ୍ଥିତି ନଜରକୁ ଆସିଥିଲେ ବି ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ବଡ଼ ପରିତାପର ବିଷୟ।
ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଅନ୍ତୁ। ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେଇ ଥିଲେ ଏପ୍ରକାର ସ୍ଥିତି ହୋଇନଥାନ୍ତା, ଲୋକଙ୍କ ଜୀବନ ଯାଇନଥାନ୍ତା।
ରାଜ୍ୟ ରାଜଧାନୀରୁ ମାତ୍ର ୫୦ କିମି ଦୂରରେ ହଇଜା ପରିସ୍ଥିତି ଉପୁଜିଥିଲେ ବି ସରକାରଙ୍କ ଏଥିପ୍ରତି କୌଣସି ନିଘା ନଥିବା ପରି ମନେ ହେଉଛି। ଜୀବନ ବଡ଼ ମୂଲ୍ୟବାନ, ସବୁସ୍ଥିତିରେ ଲୋକଙ୍କ ଜୀବନ ସୁରକ୍ଷିତ କରିବା ହେଉଛି ସରକାରଙ୍କ ସବୁଠୁ ବଡ଼ କର୍ତ୍ତବ୍ୟ। ହଇଜାରୁ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ।
ଅନ୍ୟପଟେ, ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ନୂଆଗାଁ, ଜାଗୁଳାଇପଦର ଗାଁ ବୁଲି ଆଲୋଚନା କରିଛନ୍ତି। ଗାଁରେ ଭୋଜିଭାତ ନକରିବାକୁ ଲୋକଙ୍କୁ ଅପିଲ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ମେଡିସିନ ଯାଞ୍ଚ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।