କେନ୍ଦ୍ର ବଜେଟରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା
ଓଏଲ୍ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ସଂସଦରେ ଉପସ୍ଥାପିତ ହେଲା ବଜେଟ୍ ୨୦୨୫। ଲଗାତାର ୮ମ ଥର ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟ୍ରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିବା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଷାନ୍ କ୍ରେଡିଟ୍ କାର୍ଡର ଲିମିଟ୍ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି। ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କିଷାନ କ୍ରେଡିଟ୍ କାର୍ଡ ୭.୭ କୋଟି ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ପାଇଁ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରୁଛି।
ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ। ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ। ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି।
ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଧନଧ୍ୟାନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଲାଇବେ କେନ୍ଦ୍ର ସରକାର। ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ। ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ। ବଜେଟ୍ ଉପସ୍ଥାପିତ କରି ନିର୍ମଳା କହିଛନ୍ତି, ଭାରତୀୟ ଅର୍ଥନୀତିର ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି। ଦେଶର ପ୍ରଗତି ଆମର ଲକ୍ଷ୍ୟ। ଦ୍ରୁତ ଗତିରେ ବୃଦ୍ଧି ପାଉଛି ଭାରତର ଅର୍ଥନୀତି।
ସେ ଆହୁରି କହିଛନ୍ତି, ଚଳିତ ବର୍ଷର ବଜେଟ୍ ଗରିବ, ଅନ୍ନଦାତା, ଯୁବଗୋଷ୍ଠୀ ଓ ନାରୀଙ୍କ ବଜେଟ୍। ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇି। ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବିିକାଶକୁ ବେଶୀ ଗୁରୁତ୍ବ। ସ୍ବାସ୍ଥ୍ୟ, ରୋଜଗାର ଏବଂ କୃଷିକୁ ଫୋକସ୍। ଗ୍ରାମୀଣ ମହିଳା ଏବଂ ଯୁବଗୋଷ୍ଠୀଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ।
ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ମିଳିଛି। ଯବୁକଙ୍କୁ ରୋଜଗାର ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା। ଚାଷୀଙ୍କ ପାଇଁ ଧନଧାନ୍ୟ ଯୋଜନା ଆରମ୍ଭ ହେବ। ୧.୭ କୋଟି ଚାଷୀ ଉପକୃତ ହେବେ। ଗ୍ରାମୀଣ ଭାରତରେ ରୋଜଗାରକୁ ଗୁରୁତ୍ବ ଦିଆଯିବ। ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରତା ବଢ଼ିବ।