କାହାକୁ ଭରସା କରିବେ ଦିଲ୍ଲୀ ବାସିନ୍ଦା? ୫ରେ ଭୋଟ ଗ୍ରହଣ, ଆଜି ସରିବ ପ୍ରଚାର
ଓଏଲ୍ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଦିଲ୍ଲୀ ନିର୍ବାଚନ ଯେତିକି ପାଖଉଛି ରାଜେନୖତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି। ବିଜୟ ପାଇଁ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି। ଫେବ୍ରୁଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ହାତରେ ପ୍ରଚାର ଲାଗି ୧୨ ଘଣ୍ଟାରୁ କମ ସମୟ ଥିବାରୁ ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ।
ଜୋରସୋରରେ ପ୍ରଚାର ଚଳାଇଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ଚାଲିଛି।
ବିଜେପି ପକ୍ଷରୁ ପ୍ରଚାରରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ। କଂଗ୍ରେସ ପକ୍ଷରୁ ସନ୍ଦୀପ ଦିକ୍ଷୀତ ମଧ୍ୟ ଜୋରସୋର ପ୍ରଚାର କରିଛନ୍ତି। ମଇଦାନରେ ପ୍ରଚାରର ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ହାତରେ ମାତ୍ର ଆଜି ଗୋଟିଏ ଦିନ। ଏଥର ହାଟ୍ରିକ ଲକ୍ଷ୍ୟରେ ରହିଛି ଆପ। ସେପଟେ କୌଣସି ପ୍ରକାରେ କ୍ଷମତାକୁ ଆସିବା ଲାଗି ବିଜେପି ଓ କଂଗ୍ରେସ ଚଳାଇଛନ୍ତି କସରତ। ଘରକୁ ଘର ଯାଇ ଭୋଟରଙ୍କୁ କରୁଛନ୍ତି ଆକର୍ଷିତ।
ସୂଚନା ଅନୁସାରେ, ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ସବୁ ଥର ଭଳି ଏଥର ମଧ୍ୟ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ୮ରେ ଭୋଟ ଗଣତି ହେବ। ୧୦ ଫେବୃଆରୀରେ ନିର୍ବାଚନୀ ପ୍ରକ୍ରିୟା ଶେଷ ହେବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି। ୭୦ ଆସନ ପାଇଁ ୬୯୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।