ଲୁଟ୍ ଘଟଣା: ସୁରକ୍ଷା ପାଇଁ ନିବେଦନ କଲେ ନିରଞ୍ଜନ ପଟ୍ଟନାୟକ
ଓଏଲ୍ ବ୍ୟୁରୋ: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ଵର। ଚୋରି, ରାହାଜାନୀ, ଛିନତାଇ ବଢ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ଵର ଘରୁ ଚୋରି ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି। ୧୦ ଦିନ ପରେ ବି ପୁଲିସ ହାତ ଖାଲି। ଜିନିଷ ଫେରି ପାଇବି କି ନାହିଁ ଆଶା ନାହିଁ। ରାତି ହେଲେ ଭୟ ଲାଗୁଛି। ପୁଲିସ ଘରକୁ ବାରମ୍ବାର ଆସୁଛି ହେଲେ ଚୋର ଧରୁନି। ଲୋକଙ୍କୁ ସୁରକ୍ଷା ଦେବାକୁ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।
ସୂଚନା ଅନୁସାରେ, ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ଵର ଘରୁ ଚୋରି ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ନିରଞ୍ଜନ ପଟ୍ଟନାୟକ ପୋଷ୍ଟ କରିଥିଲେ, ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ । ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ସରକାର ଓ ଆଇନଶୃଙ୍ଖଳାର ଅବହେଳା କାରଣରୁ ଲୋକଙ୍କ ଘର, ସାହି ଏବଂ ସମ୍ପଦ ବିପଦରେ ପଡ଼ିଛି । ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ଲୋକଙ୍କ ସୁରକ୍ଷା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି ନିରଞ୍ଜନ କହିଥିଲେ।