କାହାକୁ ଭରସା କରିବେ ଦିଲ୍ଲୀ ବାସିନ୍ଦା? ଆସନ୍ତାକାଲି ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଓଏଲ୍ ବ୍ୟୁରୋ: ରାତି ପାହିଲେ ଦିଲ୍ଲୀ ନିର୍ବାଚନ। ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଜୋରସୋରରେ ପ୍ରଚାର ଶେଷ କରିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କରିଥିବାବେଳେ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରିଥିଲେ। ବିଜେପି ପକ୍ଷରୁ ପ୍ରଚାରରେ ସାମିଲ ହୋଇଥିଲେ ଏକାଧିକ କେନ୍ଦ୍ରମନ୍ତ୍ରୀ। କଂଗ୍ରେସ ପକ୍ଷରୁ ସନ୍ଦୀପ ଦିକ୍ଷୀତ ମଧ୍ୟ ଜୋରସୋର ପ୍ରଚାର କରିଛନ୍ତି। ତେବେ ଏଥର କାହାକୁ ବିଶ୍ୱାସ କରିବେ ଦିଲ୍ଲୀ ବାସିନ୍ଦା, ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଆସନ୍ତାକାଲି ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଥିବାବେଳେ ୮ରେ ଭୋଟ ଗଣତି ହେବ।
ସୂଚନା ଅନୁସାରେ, ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ସବୁ ଥର ଭଳି ଏଥର ମଧ୍ୟ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ୮ରେ ଭୋଟ ଗଣତି ହେବ। ୧୦ ଫେବୃଆରୀରେ ନିର୍ବାଚନୀ ପ୍ରକ୍ରିୟା ଶେଷ ହେବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି। ୭୦ ଆସନ ପାଇଁ ୬୯୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।