ସୁଶାନ୍ତ ସିଂ ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ
ଓଏଲ୍ ବ୍ୟୁରୋ: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ତାଙ୍କର ଚିକିତ୍ସା। ଶ୍ବାସକ୍ରିୟାଜନିତ ସମସ୍ଯାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବରଗଡ଼ରୁ ଭୁବନେଶ୍ବର ଅଣାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସୁଶାନ୍ତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।
ସୂଚନା ଅନୁସାରେ, ସୁଶାନ୍ତ ଦୀର୍ଘଦିନ ହେଲା ଅସୁସ୍ଥତା ଅନୁଭବ କରୁଥିଲେ। ଗତ କିଛିଦିନ ହେଲା ସେ ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୋହେଲାସ୍ଥିତ ବାସଭବନକୁ ଫେରିଥିଲେ। ମାତ୍ର ପୁଣି ସେ ଅସୁସ୍ଥତା ଅନୁଭବ କରିବାରୁ ଦୁଇଦିନ ତଳେ ବରଗଡ଼ର ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।