ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ଓଏଲ୍ ବ୍ୟୁରୋ: ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସି ଖବର। ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ପଦକ୍ଷେପ ନେଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି। ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଡାଏଟ ଭତ୍ତା ୯୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମୋଟର ସାଇକେଲ ଭତ୍ତା ୩୦୦ରୁ ୧୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମୋବିଲିଟି ଭତ୍ତା ୧୫୦ରୁ ୩୦୦ ଟଙ୍କାକୁ ବଢ଼ିଥିବା ବେଳେ ରିସ୍କ ଭତ୍ତା ୪୦୦ରୁ ୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି।