Odisha Link
Bridging the Missing Links in Odisha

ବାରବାଟୀ ଲାଇଟ୍ ବନ୍ଦ ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଓଏଲ୍‌ ବ୍ୟୁରୋ: ବାରବାଟୀ ପଡିଆରେ ଶେଷ ହୋଇଛି ଭାରତ ଇଂଲଣ୍ଡ ମ୍ୟାଚ। ହେଲେ ଶେଷ ହୋଇନି ବିବାଦ। ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ ପାଇଁ ଐତିହାସିକ ବାରବାଟୀ ଷ୍ଟାଡ଼ିୟମକୁ ନେଇ ଦିନେ ଓଡ଼ିଶା ଗର୍ବ କରୁଥିବାବେଳେ ଏବେ ପରିଚାଳନାଗତ ତ୍ରୁଟି ଯୋଗୁ ବଦନାମ ହେବାକୁ ପଡ଼ିଛି। ଅନ୍ତର୍ଜାତୀୟ ମ୍ୟାଚ ସମୟରେ କେତେବେଳେ ପାଣି ବୋତଲ ଫିଙ୍ଗା ପାଇଁ ତ ଆଉ କେତେବେଳେ ମ୍ୟାଚ ଅଧାରୁ ଲାଇଟ୍‌‌ ଲିଭିଯିବା ଘଟଣା ବାରବାଟୀକୁ ଅନ୍ତର୍ଜାତୀୟ ଦୃଶ୍ୟପଟରେ ନିନ୍ଦିତ କରିଛି। ଏଭଳି ଏକ ଅଘଟଣ ରବିବାର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ସୃଷ୍ଟି ହୋଇଥିଲା।

ଭାରତୀୟ ଇନିଂସରେ ଗୋଟିଏ ଟାୱାର ଫ୍ଲଡ ଲାଇଟ୍‌‌ ଲିଭିଯିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଯାହାକୁ ନେଇ ବିଜେଡି କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଚାରି ଚାରି ଥର ବାରବାଟୀ ଯାଇ ସମୀକ୍ଷା କରିଥିଲେ କ୍ରୀଡ଼ା ମନ୍ତ୍ରୀ। ଡିଜି ସେଟ୍‌ ଆରମ୍ଭରୁ ଶେଷ ଯାଏଁ ଅନ୍‌ ରହିବା ଦରକାର, ବନ୍ଦ ହେଲା କେମିତି। ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଛି ବୋଲି ଲେନିନ ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡ଼ିୟମକୁ ୫ ବର୍ଷ ପରେ ଏକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ମିଳିଥିବାବେଳେ ଏଭଳି ଘଟଣା କ୍ରିକେଟ ପ୍ରେମୀଙ୍କ ଠାରୁ ଆୟୋଜକ ବିସିସିଆଇ କର୍ତ୍ତୃପକ୍ଷଙ୍କୁ ଅସନ୍ତୁଷ୍ଟ କରିଛି। ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ। କାହିଁକି ଲାଇଟ୍‌ ବନ୍ଦ ହେଲା ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି। ୧୦ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ଭାରତୀୟ ଇନିଂସର ସପ୍ତମ ଓଭରରେ ଫ୍ଲଡ ଲାଇଟ ସମସ୍ୟା ସୃଷ୍ଟି ହୋଇଥିଲା। ଓସିଏ ପୁରୁଣା ପ୍ୟାଭିଲିୟନ ନିକଟରେ ଥିବା ଫ୍ଲଡ ଲାଇଟ୍‌‌ ଅଚଳ ହୋଇଯିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ସପ୍ତମ ଓଭର ଆରମ୍ଭରୁ ଫ୍ଳଡ ଲାଇଟ୍‌ ଲିଭିଯିବାରୁ ଖେଳ ଅଟକିଥିଲା। ଏହା ପରେ ଲାଇଟ୍‌ ଜଳିବାରୁ ଖେଳ ଆରମ୍ଭ ହୋଇଥିଲା। ଗୋଟିଏ ବଲ ପଡ଼ିବା ପରେ ପୁନର୍ବାର ଲାଇଟ୍‌ ଲିଭିଯାଇଥିଲା। ଉକ୍ତ ସମୟରେ ଭାରତର ସ୍କୋର ବିନା ୱିକେଟରେ ୪୮ରନ ରହିଥିଲା।

ଫ୍ଲଡ ଲାଇଟ୍‌‌ ସମସ୍ୟା ଲାଗି ମ୍ୟାଚକୁ ଦୁଇ ଅମ୍ପାୟାର ରୋକି ଦେଇଥିବାବେଳେ ଦୁଇ ଦଳର ଖେଳାଳି ପ୍ୟାଭିଲିୟନକୁ ଫେରି ଆସିଥିଲେ। ଏଥିପାଇଁ ପ୍ରାୟ ୨୬ ମିନିଟ୍‌‌ ଖେଳ ବାଧାପ୍ରାପ୍ତ ହୋଇଥିଳା। ସନ୍ଧ୍ୟା ୬ଟା୧୭ରୁ ୬ଟା ୪୩ ପର୍ଯ୍ୟନ୍ତ ଲାଇଟ୍‌‌ ଜଳିନଥିଲା। ଜେନେରେଟରରୁ ପାୱାର ଆସିବା ବନ୍ଦ ହୋଇଯିବାରୁ ଲାଇଟ୍‌‌ ଲିଭି ଯାଇଥିଲା। ନୂତନ ଜେନେରେଟର ଲାଗିବା ପରେ ଖେଳ ପୁନର୍ବାର ୬ଟା ୪୭ରୁ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.