Odisha Link
Bridging the Missing Links in Odisha

ଆଜି ଗଜଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଓଏଲ୍ ବ୍ୟୁରୋ: ଆଜି ଗଜଉଦ୍ଧାରଣ ବେଶରେ ମହାପ୍ରଭୁ ଦେବେ ଦର୍ଶନ। ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କରିଥିଲା। କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର ଉପାୟ ପାଇ ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ଗଜରାଜ ପ୍ରାର୍ଥନା କରିଥିଲା। ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ଭକ୍ତ ଗଜଙ୍କୁ ଆକ୍ରମଣରୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରି ଗଜରାଜଙ୍କୁ ଉଦ୍ଧାର କରିଥିଲେ। ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି। ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କର ଏହି ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହେବ।

ଗଜଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି। ଚତୁଃହସ୍ତଧାରୀ ଶ୍ରୀ ଜଗନ୍ନାଥ ଗରୁଡ଼ ଉପରେ ବସିଥିବା ପ୍ରଦର୍ଶିତ ହୋଇଥାଏ । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଊର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ (ବାମ) ଓ ମୂଷଳ (ଦକ୍ଷିଣ) ଧାରଣ କରିଥାନ୍ତି। ସୁଭଦ୍ରା ଦୁଇଭୁଜ ଓ ଦୁଇ ପଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଭଙ୍ଗୀରେ ଛିଡ଼ା ହୋଇଥାନ୍ତି। ଦେବୀଙ୍କ ହସ୍ତଦ୍ୱୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥାଏ ଏବଂ ସେ ଧରିଥାଆନ୍ତି ପଦ୍ମ କଳିକାଟିଏ। ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ଜନସମାଗମ ହୋଇଥାଏ।

Leave A Reply

Your email address will not be published.