ଇଞ୍ଜିନିୟରିଂ ପାଠ ପରେ ମିଳୁନି ଚାକିରି, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ଇଞ୍ଜିନିୟରିଂ ପାଠ ନେଇ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପାଠପଢ଼ି ପାସ୍ ହୋଇଛନ୍ତି ୩୪,୪୭୧। ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ପିଲା। ରାଜ୍ୟରେ ଏବେ ୧୯,୧୮୨ ଜଣ ଇଞ୍ଜିନିୟରିଂ ପଢ଼ି ବେକାର ବସିଛନ୍ତି।
୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପଢ଼ି ପାସ୍ କରିଛନ୍ତି ୫୪,୧୮୯ ଜଣ ପିଲା। ଚାକିରି ପାଇଛନ୍ତି ମାତ୍ର ୨୦ ହଜାର ୯୬ ଜଣ ପିଲା।ଏବେ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ପଢ଼ି ବେକାର ବସିଛନ୍ତି। ଏନେଇ ଗୃହରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ ଲିଖିତ ଉତ୍ତର ରଖିଛନ୍ତି।
ଅନ୍ୟପଟେ, ଗୃହରେ ହଟ୍ଟଗୋଳରୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଥିଲା। ପୁଣି ଚାଷୀ ପ୍ରସଙ୍ଗରେ ବିଜେଡିର ପ୍ରବଳ ହୋହଲ୍ଲା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି।