Odisha Link
Bridging the Missing Links in Odisha

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ, ଜାଣନ୍ତୁ କ’ଣ ରହିଛି ନିୟମ..

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି ମଣିପୁୁର ହିଂସା। ତୀବ୍ର ଉତ୍ତେଜନା ବଢ଼ିବାରେ ଲାଗିିଛି। ହିଂସା ଥମିବାର ନାଁ ଧରୁନାହିଁ। ଏସବୁ ଭିତରେ ମଣିପୁରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଗତ ୯ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୀରେନ ସିଂହ। ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍. ବୀରେନ୍ ସିଂ ଇସ୍ତଫା ଦେଇଥିଲେ।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସଂପ୍ରଦାୟ ମଧ୍ୟରେ ବିବାଦ ତୁଟି ନଥିଲା ବେଳେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ନାହିଁ। ଏହାସତ୍ତ୍ବେ ନିରବ ରହିଥିବା ମୁଖ୍ୟମନ୍ତ୍ରୀ ବୀରେନ ସିଂ ଅପ୍ରତ୍ୟାଶିତ ଭାବେ ଗତ ରବିବାର ନିଜ ପଦରୁ ଇସ୍ତଫା ଦେବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ପ୍ରଶାସନିକ ବିଫଳତା ସତ୍ତ୍ୱେ ବିଜେପି ନେତା ବୀରେନଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ହଟାଉ ନଥିଲା ତାହା କିଛି ମହଲରେ ପ୍ରଶ୍ନ ଉଠିଥିଲା ।

ସୂଚନାଯୋଗ୍ୟ, ମଣିପୁରରେ ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଏକ ଗମ୍ଭୀର ପ୍ରସଙ୍ଗ ହୋଇଆସୁଥିଲା। ରାଜ୍ୟରେ ମୈତୈ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ସହିତ ଅନେକ ହିଂସାତ୍ମକ ସଂଘର୍ଷ ଘଟିଛି, ଯାହାଦ୍ୱାରା ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ଘରୁ ପଳାଇବାକୁ ବାଧ୍ୟ କରିଛନ୍ତି। ଗତ କିଛି ମାସ ମଧ୍ୟରେ ରାଜ୍ୟରେ ବଡ଼ ଧରଣର ସଂଘର୍ଷ ଘଟି ଅନେକ ଆହତ ହୋଇଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରିଛନ୍ତି।

ରାଷ୍ଟ୍ରପତି ଶାସନ ଲାଗୁ ହେବାର ପ୍ରକ୍ରିୟା କଣ ?

ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇଥାନ୍ତି । ରାଜ୍ୟପାଳଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଏଥିପାଇଁ ସୁପାରିସ କରେ । ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀମଣ୍ଡଳର ସୁପାରିସ କ୍ରମେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ନିଷ୍ପତ୍ତି ନେଇଥାନ୍ତି ।

କେତେ ଦିନ ଲାଗୁ ହୁଏ ରାଷ୍ଟ୍ରପତି ଶାସନ ?

ରାଷ୍ଟ୍ରପତି ଶାସନ ୬ ମାସ ପର୍ଯ୍ୟନ୍ତ ଲାଗୁ ହୁଏ । ଏଥିପାଇଁ ସଂସଦର ଉଭୟ ସଦନ(ଲୋକସଭା ଓ ରାଜ୍ୟସଭା)ର ମଞ୍ଜୁରୀ ନେବାକୁ ପଡିଥାଏ । ଏହାପରେ ଏହାକୁ ବର୍ଷେ ପର୍ଯ୍ୟନ୍ତ ବଢାଯାଇପାରେ ।

ରାଷ୍ଟ୍ରପତି ଶାସନ ଲାଗୁ ପରେ କଣ ପରିବର୍ତ୍ତନ ହୁଏ ?

କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସମସ୍ତ ପ୍ରଶାସନିକ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଏ । ଯଦି ବିଧାନସଭା ଭଙ୍ଗ ହୋଇନଥାଏ ତେବେ ନାମମାତ୍ର ଭାବେ ରହିଥାଏ । କିନ୍ତୁ ବିଧାନସଭା ଯଦି ଭଙ୍ଗ କରାଯାଏ ପୁଣି ଥରେ ନିର୍ବାଚନ କରାଯାଏ । ସାଧାରଣତଃ ପରିସ୍ଥିତିରେ ସୁଧାର ଆସିବା ପରେ ନିର୍ବାଚନ ହୋଇଥାଏ ।

Leave A Reply

Your email address will not be published.