୨ ଘଣ୍ଟା ୪୪ ମିନିଟରେ ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍ ଉପସ୍ଥାପିତ

ଓଏଲ୍ ବ୍ୟୁରୋ: ପ୍ରାୟ ୨ ଘଣ୍ଟା ୪୪ ମିନିଟ୍ ଧରି ବଜେଟ୍ ୨୦୨୫ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଭିତରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ବିକାଶ, ପରିବହନ ବିକାଶ, ଚାଷୀଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିବା ଦିଗରେ ଧ୍ୟାନ ଦେଇଛନ୍ତି ସରକାର।
ପ୍ରଥମେ କୃଷକ ସଶକ୍ତିକରଣ ବିଭାଗକୁ ବ୍ୟୟବରାଦ ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୩୭,୮୩୮ କୋଟି ବ୍ୟୟବରାଦ ହୋଇଛି। ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ସିଏମ୍ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି। ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖିଛୁ। ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ ପାଇଁ ଏମ୍ଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ।
ଜଳସେଚନ ନେଇ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ ହୋଇଛି। ହୀରାକୁଦ ଡ୍ୟାମ୍ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ। ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି। ନଳକୂପଗୁଡ଼ିକ ପାଇଁ ବଜେଟ୍ରେ ୧୧୫୦ କୋଟି ରହିଛି। ସମବାୟ ବିଭାଗ ପାଇଁ ୨୨୭୭ କୋଟି ବ୍ୟୟବରାଦ ହୋଇଛି।
ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସ୍ୱତନ୍ତ୍ର ନିଷ୍ପତି ନେଇଛନ୍ତି। ସଡ଼କ ଯୋଜନା ପାଇଁ ୧୩ ହଜାର କୋଟି ବ୍ୟୟବରାଦ କରାଯାଇଛି। ରିଂ ରୋଡ଼ ସମେତ ୬ ଲେନ ବିଶିଷ୍ଠ ରାସ୍ତା ନିର୍ମାଣ ହେବା ପାଇଁ ପ୍ରସ୍ତାବ ରହିଛି। ବିମାନ ଚଳାଚଳ କ୍ଷେତ୍ରର ବିକାଶ ପାଇଁ ୩୮୨ କୋଟି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ ହଜାର କୋଟି ବ୍ୟୟବରାଦ ହୋଇଛି। ପର୍ଯ୍ୟଟନର ବିକାଶକୁ ଗୁରୁତ୍ୱ ଦେଇ ବଜେଟରେ ୮୨୦ କୋଟିର ବ୍ୟୟବରାଦ କରାଯାଇଛି। ଏଣିକି ପ୍ରତି ଜିଲ୍ଲାରୁ ଦେୟମୁକ୍ତ ଯାତ୍ରା କରିବେ ଜଗା ପ୍ରେମୀ। ଜଗା ଦର୍ଶନ ପାଇଁ ୩୦ କୋଟି ବ୍ୟୟବରାଦ କରାଯାଇଛି। ଘରେ ଘରେ ପାନୀୟ ଜଳ ସୁବିଧା ପାଇଁ ବସୁଧା ଯୋଜନା ପାଇଁ ୧୬୦୦ କୋଟି ବ୍ୟୟବରାଦ ହୋଇଛି।
ଏଥର ବଜେଟରେ ୧୦ ହଜାର ୧୪୫ କୋଟି ବ୍ୟୟ ବରାଦ ହୋଇଛି । ଏଯାଏ ୪ ହଜାର ୯୦୦ କୋଟି ପାଇଲେଣି ହିତାଧିକାରୀ। ଆଗକୁ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ କାର୍ଯ୍ୟକାରୀ ହେବ। ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ କାର୍ଯ୍ୟକାରୀ ହେବ। କୁହ ସୁଭଦ୍ରା କଲ୍ ସେଣ୍ଟର, ସୁଭଦ୍ରା ସହଯୋଗୀ କାର୍ଯ୍ୟକାରୀ ହେବ। ସୁଭଦ୍ରା ପଣ୍ଡିତ, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ଆରମ୍ଭ ହେବ। ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟିର ବ୍ୟୟ ବରାଦ ହୋଇଛି।