ବିଧାନସଭାରେ ପହଞ୍ଚିଲା ‘କିଟ୍’ ଝଡ଼: ଶାସକ-ବିରୋଧୀ ମୁହାଁମୁହିଁ

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ପଞ୍ଚମ କାର୍ଯ୍ୟ ଦିବସ। ଗତକାଲି ବଜେଟ ଉପସ୍ଥାପନା ହୋଇଥିବାବେଳେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖୁଛନ୍ତି। ତେବେ ଏସବୁ ଭିତରେ ଶୂନ୍ୟକାଳରେ ଉଠିଲା କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା।
କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ତଦନ୍ତ ନିର୍ଦେଶ ପାଇଁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି। ତଦନ୍ତ ନହେଲେ ଗୃହରେ ଧାରଣାରେ ବସିବି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।
ଅନ୍ୟପଟେ, ବିଜେପି ବିଜେଡିକୁ ଟାର୍ଗେଟ କରିଛି। ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, କିଟ୍ରେ ଯେଉଁ ଘଟଣା ଘଟିଛି ଦୁର୍ଭାଗ୍ୟଜନକ। କିଟ୍ର ମାଲିକ କେଉଁ ଦଳର ସାଂସଦ ଥିଲେ। କେଉଁ ଦଳ କିଟ୍ ମାଲିକଙ୍କୁ କୋଳରେ ବସାଇଥିଲା ବୋଲି ବିଜେପି ବିଜେଡିକୁ ଟାର୍ଗେଟ କରିଛି।
ଅନ୍ୟପଟେ, ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବା ପରେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କିଟ୍ ଲିଖିତ ଉତ୍ତର ରଖିଛି। ତଦନ୍ତ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି। ହଷ୍ଟେଲ ଦାୟିତ୍ବରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏଥିପାଇଁ କିଟ୍ ଦୁଃଖିତ ବୋଲି ଲିଖିତ ଉତ୍ତର ରଖିଛି କିଟ୍।