କଂଗ୍ରେସର ସଂକଳ୍ପ ପଦଯାତ୍ରା, ସାମିଲ ହେଲେ ପିସିସି ସଭାପତି

ଓଏଲ୍ ବ୍ୟୁରୋ: ନୂଆ ମୁଖିଆ ନିଯୁକ୍ତି ପରେ ଫୁଲ୍ ଜୋସରେ କଂଗ୍ରେସ। ଆଜିଠୁ ଆରମ୍ଭ ହେଉଛି ସଂକଳ୍ପ ପଦଯାତ୍ରା। ରାଜ୍ୟରେ ସଙ୍ଗଠନକୁ ସୁଦୃଢ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ଆରମ୍ଭ କରିବ ସଂକଳ୍ପ ପଦଯାତ୍ରା। ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ବର ବିମାନବନ୍ଦରରୁ ପୁରୀ ଯାଏଁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ସଂକଳ୍ପ ପଦଯାତ୍ରା କରୁଛି କଂଗ୍ରେସ।
ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ଛକ, ଶିଶୁ ଭବନ, ରାଜାମାହାଳ ଏବଂ କଳ୍ପନା ଛକ ଦେଇ ଲିଙ୍ଗପୁରରେ ପହଞ୍ଚିବ ପଦଯାତ୍ରା। ପରେ ଲିଙ୍ଗିପୁରରୁ ପିପିଲି ଯାଇ ରାତ୍ରି ଜାପନ କରିବେ ପିସିସି ସଭାପତି। ପିପିଲିରୁ ଚନ୍ଦନପୁର ଏବଂ ୨୦ ତାରିଖରେ ଚନ୍ଦନପୁରରୁ ପୁରୀ ଅଭିମୁଖେ ବାହାରିବ ପଦଯାତ୍ରା। ୨୦ ତାରିଖରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସଂକଳ୍ପ ପଦଯାତ୍ରାର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇବେ ପିସିସି ସଭାପତି।
ପଦଯାତ୍ରାକୁ ସଫଳ କରିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତିମାନଙ୍କୁ ଦାୟିତ୍ୱ ଦିଆଯାଇଛି। ନୂଆ ପିସିସି ଓ ପ୍ରଭାରୀ ନିଯୁକ୍ତି ପରେ ନୂଆ ଉତ୍ସାହ ସହ କାମ ଆରମ୍ଭ କରିଛି କଂଗ୍ରେସ। ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସ ନିଜ ପତିଆରାର ପ୍ରଦର୍ଶନ କରିବାକୁ ଯାଉଛି। ଯୁବ, ଛାତ୍ର ମହିଳା ସେବାଦଳ ସମସ୍ତଙ୍କୁ ଯାତ୍ରାରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।