‘ଶିଶମହଲ’ର ହେବ କ’ଣ? ଶପଥ ପୂର୍ବରୁ ରେଖା ଗୁପ୍ତା ନେଲେ ବଡ଼ ନିଷ୍ପତ୍ତି

ଓଏଲ୍ ବ୍ୟୁରୋ: ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ସରକାର। ଆଉ ମାତ୍ର କିଛି ସମୟର ଅପେକ୍ଷା ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁୁପ୍ତା। ରାମଲୀଳା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଶପଥ ପାଠ କରାଇବେ ଉପ ରାଜ୍ୟପାଳ ଭି.କେ. ସକ୍ସେନା। ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥିବା ‘ଶିଶମହଲ’କୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ରେଖା ଗୁପ୍ତା।
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶିଶମହଲର ଭବିଷ୍ୟତ ନିଶ୍ଚିତ କରିଛନ୍ତି। ରେଖା ଗୁପ୍ତା କହିଛନ୍ତି ‘ଶିଶମହଲ’କୁ ମ୍ୟୁଜିୟମ କରାଯିବ। ଶିଶମହଲରେ ଆପଣ ରହିବେ କି ପ୍ରଶ୍ନରେ ରେଖା କହିଛନ୍ତି ଯେ, ଯମା ନୁହେଁ। ଯାହା ଜନତାଙ୍କୁ ହରିଲୁଟ୍ କରି ବନା ଯାଇଛି। ସେଠାରେ ରହିବାର ନାହିଁ। ଜନତାଙ୍କ ରକ୍ତ, ଝାଳବୁହା ଧନ ଯେଉଁଠି ଲାଗିଛି ସେଠି ଜନତାଙ୍କ ହକ୍ ଅଛି। ଜନତାଙ୍କ ପାଇଁ ଶିଶମହଲ ସମର୍ପିତ କରାଯିବ ବୋଲି କହିଛନ୍ତି।
ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ବ ଉତ୍ସବରେ ସାମିଲ ହେବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨୦ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ବିଶିଷ୍ଟ ଉଦ୍ୟୋଗପତି, ସାଧୁସନ୍ଥ, ସେଲିବ୍ରିଟିଙ୍କ ସମେତ ବହୁ ଭିଆଇପି ଅତିଥି ଶପଥ ସମାରୋହରେ ଯୋଗ ଦେବେ।
ସୂଚନାଯୋଗ୍ୟ ଯେ, ସୁଷମା ସ୍ୱରାଜ, ଶୀଲା ଦିକ୍ଷୀତ ଓ ଆତିଶୀ ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ରେଖା ଗୁପ୍ତା। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିଛି। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ଶାଲିମାରବାଗ ବିଧାୟିକା ରେଖା ଗୁପ୍ତାଙ୍କ ନାଁରେ ମୋହର ବାଜିଥିଲା।