Odisha Link
Bridging the Missing Links in Odisha

ଖେଳ ମଝିରେ ଭୁଲ୍‌ ମାଗିଲେ ରୋହିତ

ଓଏଲ୍‌ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ବିତୀୟ ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ହେଲେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବାଂଲା ଦଳ। ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ଫିକା ପଡ଼ିଛି ବାଂଲାଦେଶର ବ୍ୟାଟିଂ ଲାଇନ୍‌ ଅପ୍। ଏସବୁ ମଧ୍ୟରେ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ସାଥୀ ଖେଳାଳିଙ୍କୁ ମ୍ୟାଚ୍‌ ମଝିରେ ଭୁଲ୍‌ ମାଗିଛନ୍ତି ଅଧିନାୟକ ରୋହିତ ଶର୍ମା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ପ୍ରଥମ ଓଭରରେ ହିଁ ଦଳକୁ ବଡ଼ ଝଟକା ଦେଇଥିଲେ ଟିମ୍‌ ଇଣ୍ଡିଆର ଅଭିଜ୍ଞ ବୋଲର ମହମ୍ମଦ ସାମି। ସେ ସୌମ୍ୟ ସରକାରଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ। ପରେ ଦ୍ବିତୀୟ ଓଭରରେ ହର୍ଷିତ ରାଣା ବାଂଲାଦେଶର ଅଧିନାୟକ ସାଣ୍ଟୋଙ୍କୁ ପ୍ୟାଭିଲିଅନ୍‌ ପଠାଇ ବାଂଲାଦେଶକୁ ବ୍ୟାକଫୁଟ୍‌ରେ ରଖିଥିଲେ। ପରେ ୬ଷ୍ଠ ତମ ଓଭରରେ ପୁଣିଥରେ ସାମି ଭାରତୀୟ ଦଳକୁ ଆଉ ଏକ ଓ୍ବିକେଟ ଦେଇଥିଲେ।

ମ୍ୟାଚର ୯ମ ଓଭରରେ ଅକ୍ଷର ପଟେଲଙ୍କ ଜରିଆରେ ସ୍ପିନ୍‌ ଆକ୍ରମଣ କରିଥିଲେ ରୋହିତ ଶର୍ମା। ଆଉ ରୋହିତଙ୍କ ଆକ୍ରମଣର ନେତୃତ୍ବ ନେଇଥିଲେ ଅକ୍ଷର ପଟେଲ। ଲଗାତାର ଦୁଇଟି ବଲ୍‌ରେ ୨ଟି ଓ୍ବିକେଟ ନେଇ ବାଂଲାଦେଶର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଧ୍ବଂସ୍‌ କରିଥିଲେ ଅକ୍ଷର ପଟେଲ। ହ୍ୟାଟିକ୍‌ ଓ୍ବିକେଟ ନେବାର ସୁଯୋଗ ଥିଲା ଅକ୍ଷରଙ୍କ ପାଖରେ। ହେଲେ ହ୍ୟାଟ୍ରିକ୍‌ ବଲରେ କ୍ୟାଚ୍‌ ଛାଡ଼ି ଦେଇଥିଲେ ରୋହିତ ଶର୍ମା। ସ୍ଲିପ୍‌ରେ ଏକ ସହଜ କ୍ୟାଚ ରୋହିତ ଛାଡ଼ି ଦେଥିଲେ ଯାହାଫଳରେ ହ୍ୟାଟ୍ରିକ୍‌ ଓ୍ବିକେଟ ନେବାରୁ ବଞ୍ଚିତ ହୋଇଥିଲେ ଅକ୍ଷର ପଟେଲ। ରୋହିତ ଖରାପ ଫିଲ୍ଡିଂ କରିଥିବାରୁ ନିଜେ ରାଗି ଯାଇ ପଡ଼ିଆରେ ହାତ ବାଡ଼େଇଥିଲେ। ପରେ ହାତ ଯୋଡ଼ି ଅକ୍ଷର ପଟେଲଙ୍କୁ ଭୁଲ୍‌ ମାଗିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.