ପ୍ରକାଶ ପାଇଲା ବିଜ୍ଞପ୍ତି: ଏଣିକି ଚଳନ୍ତି ସମ୍ପତ୍ତି କିଣିବା ପାଇଁ ଅନୁମତି ନେବେ ସରକାରୀ କର୍ମୀ

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ସରକାରୀ କର୍ମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ଏଣିକି ସ୍ଥାବର ସମ୍ପତ୍ତି ବା ଚଳନ୍ତି ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ସରକାରୀ କର୍ମଚାରୀ। ରାଜ୍ୟ ଆଇନ୍ ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି।
ଯଦି ଜଣେ ସରକାରୀ କର୍ମଚାରୀ ଚଳନ୍ତି ସମ୍ପତ୍ତି କିଣିବାକୁ ଚାହାନ୍ତି, ତେବେ କିଣିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଲେଖାଯାଇଛି। ଓଡ଼ିଶା ଗଭର୍ଣ୍ଣମେଣ୍ଟ ସରଭ୍ୟାଣ୍ଟ କନଡକ୍ଟ ରୁଲ୍ ୧୯୫୯ର ରୁଲ୍-୨୧ ଅନୁସାରେ ସରକାରଙ୍କ ଅନୁମତି ନେବା ଜରୁରୀ ବୋଲି ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ, ୧୯୫୯ର ନିୟମ-୨୧ (୩) ଅନୁଯାୟୀ ଦୁଇ ମାସର ମୂଳ ଦରମା ସହିତ ଜଡିତ ଯେକୌଣସି ସ୍ଥାବର ସମ୍ପତ୍ତି ସହିତ ଜଡିତ ଯେକୌଣସି କାରବାର ଉପରେ ଜଣେ ସରକାରୀ କର୍ମଚାରୀ ତୁରନ୍ତ ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ବାଧ୍ୟ, ଆଇନ ବିଭାଗ ଅଧିକାରୀଙ୍କୁ ଏକ ବିଜ୍ଞପ୍ତିରେ କହିଛି।