ମାତୃଭାଷା ଦିବସ: ରୋପ୍ୟ ଜୟନ୍ତୀରେ ପଦାର୍ପଣ କରିଛି ମାତୃଭାଷା ଦିବସ

ଓଏଲ୍ ବ୍ୟୁରୋ: ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ସରଳ ଭାଷାରେ ବୁଝିଲେ ଏହା ଆମ ମା’ର ଭାଷା। ଯାହାକୁ ଆମେ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷାପଣ ପ୍ରଚାର ନିମନ୍ତେ ପାଳନ କରୁଛେ। ଏହା ପ୍ରଥମେ ୟୁନେସ୍କୋ ଦ୍ୱାରା ୧୯୯୯ ମସିହା ନଭେମ୍ବର ୧୭ରେ ଆରମ୍ଭ ହୋଇଥିଲା। ଏହାର ପାଳନ ପ୍ରଥମେ ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୦୮ ମସିହା ଅନ୍ତର୍ଜାତୀୟ ଭାଷା ବର୍ଷରେ ଗୃହୀତ ହୋଇଥିଲା।
“ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା।”
କବିଙ୍କର ଏହି ପଂକ୍ତିଟି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ସଦୃଶ। ବାସ୍ତବରେ ମାତୃଭାଷାର ବିକାଶରେ ହିଁ ଗୋଟିଏ ଜାତିର ବିକାଶ ହୋଇଥାଏ। ଆମ ମାତୃଭାଷା ଆମ ପରିଚୟର ମୂଳଦୂଆ। ତାକୁ ଅବହେଳା ନକରି କିପରି ବିଶ୍ବସ୍ତରରେ ପରିଚିତ କରାଇବା, ତାହା ଆମର ଦାୟିତ୍ବ ହେବା ଉଚିତ। ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଆମେ ସମସ୍ତେ ସଙ୍କଳ୍ପ ବଦ୍ଧ ହୋଇ ଆମ ମାତୃଭାଷାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବା ଏବଂ ମାତୃଭାଷାର କ୍ଷେତ୍ରକୁ ବର୍ଦ୍ଧିତ କରିବାରେ ସହାୟକ ହେବା।
ଆମେ ଜନ୍ମ ହେଲାପରେ ପ୍ରଥମେ ଯେଉଁ ଭାଷାରେ କଥା କହିବା ଆରମ୍ଭ କରୁ, ତାହା ହେଉଛି ଆମର ମାତୃଭାଷା। ଆମେ ପରିବାର ଲୋକଙ୍କ ସହ ବି ଆମ ମାତୃଭାଷାରେ କଥାବାର୍ତ୍ତା କରିଥାଉ। ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ହିଁ ମାତୃଭାଷା ଦିବସ ପାଳନର ବିଶେଷତ୍ତ୍ୱ।
ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୦୦ ମସିହା ଫେବୃଆରୀ ପରଠାରୁ ପ୍ରତିବର୍ଷ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଆସୁଛି। ଏହି ଦିବସଟି ୧୯୫୨ ମସିହାରେ ସେତେବେଳର ପାକିସ୍ତାନରେ ବଙ୍ଗଳା ଭାଷାକୁ ଦୁଇଟି ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦାବି କରୁଥିବା ଢାକା ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଢାକା ମେଡ଼ିକାଲ କଲେଜର ଛାତ୍ରମାନଙ୍କ ଅଧୁନା ବଙ୍ଗଳାଦେଶର ରାଜଧାନୀ ଢାକାର ଉଚ୍ଚନ୍ୟାୟାଳୟ ନିକଟରେ ପୁଲିସ ଗୁଳିରେ ପ୍ରାଣ ହରାଇବାର ସ୍ମୃତିରେ ପାଳିତ ହୋଇଥାଏ।