ପାକିସ୍ତାନକୁ ହରାଇଲା ରୋହିତ ବାହିନୀ, ଆଜି ବି ଟ୍ରେଣ୍ଡରେ ଆଇଆଇଟି ବାବା

ଓଏଲ୍ ବ୍ୟୁରୋ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଚାମ୍ପିଅନ୍ସ ଟ୍ରଫିରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି ରୋହିତ ବାହିନୀ। ୨୪୨ ରନର ଟାର୍ଗେଟକୁ ପିଛା କରି ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ମ୍ୟାଚକୁ ସହଜରେ ଜିତି ନେଇଛି ଭାରତ। ଏସବୁ ଭିତରେ ଦୁଇ ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଆଇଆଇଟି ବାବା।
ଭାରତ ହାରିବା ନେଇ କରିଥିବା ଅନୁମାନ ମିଛ ପ୍ରମାଣିତ ହୋଇଛି। ଭୁଲ୍ ହୋଇଗଲା ଆଇଆଇଟି ବାବାଙ୍କ ଗଣନା। ବିରାଟ କୋହଲିଙ୍କୁ ଚାଲେଞ୍ଜ କରିବା ଏବେ ମହଙ୍ଗା ପଡ଼ିଛି ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ। ଭାରତର ବିଜୟ ପରେ ଏବେ ଖୁବ ଟ୍ରୋଲ ହେଉଛନ୍ତି ବାବା। ସୋସିଆଲ ମିଡିଆରେ ବାବାଙ୍କୁ ଭଣ୍ଡ କହିବା ସହ ଗାଳି କରୁଛନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ। ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ ହାରିଯିବ ବୋଲି ଦାବି କରିଥିଲେ ଅଭୟ ସିଂହ।
ମହାକୁଂଭରୁ ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହ କହିଥିଲେ, ବିରାଟଙ୍କୁ କହିଦିଅ ଯେତେ ଚେଷ୍ଟା କଲେ ବି ଦଳ ହାରିଯିବ। କିନ୍ତୁ ବାବାଙ୍କ ଭବିଷ୍ୟବାଣୀ ଓଲଟା ହୋଇଛି। ପାକିସ୍ତାନକୁ ୬ ୱିକଟରେ ହରାଇ ମ୍ୟାଚ୍ ଜିତି ନେଇଛି ରୋହିତ ବାହିନୀ। ଆଉ ଶତକ ମାରି ଏହି ମ୍ୟାଚର ହିରୋ ପାଲଟିଛନ୍ତି ବିରାଟ। ଯାହାପରେ ବାବାକୁ ଟ୍ରୋଲ ହେବାକୁ ପଡ଼ିଛି।