ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ: ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜେପି ନଡ୍ଡା ସାମିଲ

ଓଏଲ୍ ବ୍ୟୁରୋ: ବଦଳିବ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚିତ୍ର। ପୁରୀରେ ଆରମ୍ଭ ହୋଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ସମ୍ମିଳନୀ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପୁରୀରେ ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଜନସ୍ବାସ୍ଥ୍ୟ ସେବାରେ ଅନୁକରଣୀୟ ବ୍ୟବସ୍ଥା ଓ ନୂଆ ଉଦ୍ଭାବନ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି।
ପୁରୀ ଠାରେ ଆୟୋଜିତ ୯ମ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ ଏବଂ ୧୬ତମ କମନ ରିଭ୍ୟୁ ମିଶନର ରିପୋର୍ଟ ପ୍ରକାଶନ କାର୍ଯ୍ୟକ୍ରମରେ ଦେଶର ଜନସ୍ବାସ୍ଥ୍ୟ କ୍ଷେତ୍ରରେ କ’ଣ ନୂଆ ଗବେଷଣା ହେଉଛି ଓ ଏହାକୁ କିପରି ସୁବିନିଯୋଗ କରାଯିବ ତାହା ଉପରେ ବିଶେଷ ଆଲୋଚନା ଆରମ୍ଭ ହୋଇଛି। ସେହିପରି ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା ବି ହେବ। ଏହି କାର୍ଯ୍ୟକ୍ରମରେ ନଡ୍ଡାଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ରହିଛନ୍ତି।