ଉତ୍ତମଙ୍କ ଅନ୍ତିମ ଦର୍ଶନ ପାଇଁ ଭୁବନେଶ୍ୱର ବାସଭବନରେ ଭିଡ଼, ଅପରାହ୍ନରେ ହେବ ଶେଷକୃତ୍ୟ

ଓଏଲ୍ ବ୍ୟୁରୋ: ଓଲିଉଡ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଉତ୍ତମଙ୍କ ବିୟୋଗରେ ଓଲିଉଡ୍ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର ବିମାନ ବନ୍ଦରରୁ ଜଗନ୍ନାଥ ବିହାର ବାସଭବନରେ ଉତ୍ତମଙ୍କ ପାର୍ଥିବ ଶରୀର ପହଂଚିଛି। ବାସଭବନରେ ଅନ୍ତିମ ଦର୍ଶନ କରୁଛନ୍ତି ସଂପର୍କୀୟ, ବିଶିଷ୍ଟ ବ୍ୟକ୍ତି। ଅନ୍ତିମ ଦର୍ଶନ ପରେ ଅପରାହ୍ନରେ ଶେଷକୃତ୍ୟ ହେବ। ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ହେବ।
ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଗଲେ ଉତ୍ତମ। ତାଙ୍କର ପରଲୋକରେ ଓଲିଉଡ୍ରେ ଏକ ଯୁଗର ଅବସାନ ଘଟିଲା।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ। ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ। ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।।