ବିଏମ୍ସିର ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି: ଦିନ ୧୧ଟାରୁ ନିର୍ମାଣ କାମ କରିବେନି ଶ୍ରମିକ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ। ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଏମ୍ସି ବ୍ୟାପକ ପ୍ରସ୍ତୁତି କରିଛି। ଏକାମ୍ର ହଲ୍ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ସମସ୍ତ ନିର୍ମାଣ କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ଶ୍ରମ ଅଧିକାରୀ ଏହାକୁ ନିଶ୍ଚିତ କରିବେ। ବିଏମ୍ସିର ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁଥିବା ନିଶ୍ଚିତ କରିବେ ସିଟି ଇଂଜିନିୟର ଓ ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆର୍ ଆଣ୍ଡ ବି ଓ ଆର୍ଡି ମଧ୍ୟ ଏହା ନିଶ୍ଚିତ କରିବେ। ଧୂଳି ନ ହେବାପାଇଁ ପାଣି ଛିଞ୍ଚିବେ। ଶ୍ରମ ବିଭାଗ ଓ ଇଏସ୍ଆଇ ପକ୍ଷରୁ ଜାରି ନୋଟିସକୁ ସବୁ ବିଭାଗ ପାଳନ କରିବେ।
ଘର ନଥିବା ଲୋକ ଦିନ ବେଳା ସର୍ବସାଧାରଣ ଗୃହ, କମ୍ୟୁନିଟ୍ ହଲ୍, ଅର୍ବାନ ସେଲଟର୍ ଆଦିରେ ବିଶ୍ରାମ ନେବେ। ପାନୀୟ ଜଳ ଓ ଓଆରଏସ୍ ବ୍ୟବସ୍ଥା କରାଯିବ। ବିଏମ୍ସିର ୭ଟି ଆଶ୍ରୟସ୍ଥଳୀରେ ପ୍ରାୟ ୩୫୬ ଜଣଙ୍କ ରହିବା ବ୍ୟବସ୍ଥା ହୋଇଛି। ଏହି ସମୟରେ ବିଦ୍ୟୁତ୍ କାଟ୍ ହେବନାହିଁ। ଟିପିସିଓଡିଏଲ୍ ଏହାକୁ ନିଶ୍ଚିତ କରିବ। ସ୍ବାସ୍ଥ୍ୟସେବା ଓ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବନାହିଁ। ସନ୍ ଷ୍ଟ୍ରୋକରେ ମୃତ୍ୟୁ ଅଭିଯୋଗ ଆସିଲେ ସରକାରୀ ନିୟମ ଅନୁଯାୟୀ ପଦଷେପ ନିଆଯିବ। ଡାକ୍ତରଖାନାରେ ସନଷ୍ଟ୍ରୋକ୍ ଆକ୍ରାନ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ରୁମ୍ ଓ ବେଡ୍, ଆବଶ୍ୟକ ମେଡିସିନ, ଓଆରଏସ୍ ମହଜୁଦ୍ ରଖିବା ପାଇଁ ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜୋନାଲ କମିସନରମାନେ ଜଳସେବା କେନ୍ଦ୍ର ଖୋଲିବାକୁ ବ୍ୟବସ୍ଥା କରିବେ। ବୁଲା ଗାଈଗୋରୁ, କୁକୁର ତଥା ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିବେ। ଗତ ବର୍ଷ ଉତ୍ତର ଜୋନ୍ରେ ୬୭, ଦକ୍ଷିଣପୂର୍ବ ଜୋନ୍ରେ ୬୯ ଓ ଦକ୍ଷିଣ-ପଶ୍ଚିମ ଜୋନ୍ରେ ୭୭ଟି କେନ୍ଦ୍ର ଖୋଲାଯାଇଥିଲା। ଅନୁଷ୍ଠାନମାନେ କେନ୍ଦ୍ର ଖୋଲି କେବଳ ଫଟୋ ଉଠାଇ ପଳାଉଥିବାରୁ ଏଥର ସରକାର କଡ଼ାକଡ଼ି କରିଛନ୍ତି। ଏଭଳି ସଂସ୍ଥାଙ୍କୁ ସ୍ବୀକୃତି ନଦେବାକୁ ତାଗିଦ କରିଛନ୍ତି। ଏଥିପ୍ରତି ଯତ୍ନ ନେବାକୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ବିଏମ୍ସି ମୁଖ୍ୟାଳୟରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯିବ। ୧୯୨୯ରେ ସାଧାରଣ ଲୋକ ଅଭିଯୋଗ/ପ୍ରସ୍ତାବ ଦେଇପାରିବେ। ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟର ଶିକ୍ଷାଦାନ ସମୟ ପରିବର୍ତ୍ତନ କରିବେ।