ମାର୍ଚ୍ଚ ୫ରେ ଖୋଲା ରହିବ ବିଦ୍ୟାଳୟ, ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି। ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ।
ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଅପ୍ରେଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଦିବସ ମଧ୍ୟ ଅପ୍ରେଲ ୨୪ ତାରିଖରେ ପାଳନ କରାଯିବ। ମାର୍ଚ୍ଚ ୫ ତାରିଖ ହେଉଛି ଓଡିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ।
ଏହାକୁ ରାଜ୍ୟ ସରକାର ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ। ଏହି କ୍ରମରେ ବିଦ୍ୟାଳୟ ମଧ୍ୟ ଖୋଲା ରଖିବାକୁ ସରକାର ନିଷ୍ପତି ନେଇଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।