ଜଷ୍ଟିସ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ନାଁ ସୁପାରିସ୍ କଲେ ସୁପ୍ରିମକୋର୍ଟ

ଓଏଲ୍ ବ୍ୟୁରୋ: ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ ହୋଇଛି। ଜଷ୍ଟିସ ହରିଶ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ରେ ଅବସର ନେଇଥିଲେ। ତାଙ୍କ ସ୍ଥାନରେ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ବର୍ତ୍ତମାନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି।
ଜଷ୍ଟିସ୍ ଟଣ୍ଡନ ୨୦୧୦ ଏପ୍ରିଲ ୧୩ରେ କଲିକତା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇ ସେବେଠୁ ଏହି ଦାୟିତ୍ୱ ସମ୍ପାଦନ କରିଆସୁଛନ୍ତି। ସର୍ବଭାରତୀୟ ସ୍ତରରେ ବରିଷ୍ଠତା ଭିତ୍ତିରେ ହାଇକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍ ଟଣ୍ଡନ ସପ୍ତମ ସ୍ଥାନରେ ରହିଛନ୍ତି। ବିଚାରପତି ଭାବେ ନିଯୁକ୍ତି ପୂର୍ବରୁ ସେ କଲିକତା ହାଇକୋର୍ଟରେ ଦଓ୍ବୋନି ମାମଲାଗୁଡ଼ିକରେ ଓକିଲାତି କରୁଥିଲେ। ବିଚାରପତି ଭାବେ ନ୍ୟାୟ ପ୍ରଦାନରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ସେ ହାଇକୋର୍ଟ ମୁଖ୍ୟ ବିଚାରପତି ହେବା ପାଇଁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ କଲେଜିୟମ୍ ପକ୍ଷରୁ ଅପ୍ଲୋଡ୍ କରାଯାଇଥିବା ଏକ ବିବୃତିରେ କୁହାଯାଇଛି।