ରୋହିତ ଶର୍ମାଙ୍କ ‘ଆଇସିସି’ ଯାତ୍ରା, ବହୁ ରେକର୍ଡର ଅଧିକାରୀ ହେଲେ ହିଟ୍ ମ୍ୟାନ

ଓଏଲ୍ ବ୍ୟୁରୋ: ମାତ୍ର ୯ ମାସରେ ଦୁଇ ଦୁଇଟି ଆଇସିସି ଟ୍ରଫି ଜିତି ବିଶ୍ବ ରେକର୍ଡ କଲା ଭାରତୀୟ କ୍ରିକେଟ ଦଳ। ରବିବାର ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ପରାସ୍ତ କରି ୩ୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ହାତେଇବାରେ ସଫଳ ହୋଇଛି। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଓ ଅଧିନାୟକ ରୋହିତ ଶର୍ମାଙ୍କ ୭୬ ରନ୍ ବଳରେ ଭାରତୀୟ ଦଳ ୬ଟି ବଲ୍ ପୂର୍ବରୁ ମ୍ୟାଚକୁ ନିଜ ନାମରେ କରିଥିଲା।
ରବିବାର ବିଜୟ ଟିମ୍ ଇଣ୍ଡିଆର ହେଲା କିନ୍ତୁ ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଲା। ଲଗାତାର ସର୍ବାଧିକ ଟସ୍ ହାରିବା ଅଧିନାୟକ ଭାବେ ରୋହିତଙ୍କ ନାମ ଆଗରେ ରହିଛି। ଏଥିସହିତ ରୋହିତ ଶର୍ମା ଆଇସିସି ଟୁର୍ଣ୍ଣାମେଣ୍ଟରେ ଲଗାତାର ୧୩ଟି ମୁକାବିଲା ଜିତିଛନ୍ତି। ରୋହିତ ଶର୍ମା ଚମ୍ପିଆନ୍ସ ଟ୍ରଫି ଜିତିବା ମାମଲାରେ ୮ମ ଓ ତୃତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଲଗାତାର ଦୁଇଟି ଆଇସିସି ଜିତିବା ମାମଲାରେ ରୋହିତ ବିଶ୍ବର ୪ର୍ଥ ଅଧିନାୟକ ହୋଇଛନ୍ତି।
କିଛି ନୂଆ ରେକର୍ଡ:
– ଲଗାତାର ୮ଟି ମ୍ୟାଚ ପରେ ପ୍ରଥମ ଥର ପାଇଁ ବିପକ୍ଷ ଦଳକୁ ପ୍ରଥମ ଇନିଂସ୍ରେ ଅଲଆଉଟ୍ କରିବାରେ ବିଫଳ ହୋଇଛି ଭାରତୀୟ ଦଳ। ରବିବାର ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୨୫୧ ରନ୍ ସ୍କୋର କରିଥିଲା।
– ଚମ୍ପିଆନ୍ସ ଟ୍ରଫିର ଇତିହାସରେ ଦ୍ବିତୀୟ ଦଳ ଭାବେ ଟିମ୍ ଇଣ୍ଡିଆ ଗୋଟିଏ ଇନିଂସ୍ରେ ସର୍ବାଧିକ ସ୍ପିନ ବୋଲିଂ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମୁକାବିଲାରେ ଭାରତୀୟ ଦଳ ୩୮ ଓଭର ସ୍ପିନ୍ ବୋଲର ବୋଲିଂ କରିଥିଲେ। ଏହି ମାମଲାରେ ପ୍ରଥମ ସ୍ଥାନରେ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ରହିଛି। ୨୦୦୨ ମସିହା ଚମ୍ପିଆନ୍ସ ଟ୍ରଫିର ସେମି ଫାଇନାଲ ମୁକାବିଲାରେ ୩୯.୪ ଓଭର ସ୍ପିନ ବୋଲିଂ କରିଥିଲା ଶ୍ରୀଲଙ୍କା ଦଳ।
– ଚମ୍ପିଆନ୍ସ ଟ୍ରଫି ୨୦୨୫ରେ ଭାରତୀୟ ଦଳ ୯ଟି କ୍ୟାଚ୍ ହାତଛଡ଼ା କରିଛି। ଭାରତୀୟ ଦଳ ସର୍ବାଧିକ କ୍ୟାଚ ହତାଛଡ଼ା କରିଛି।
– ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ସର୍ବାଧିକ ୧୪ଟି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଖେଳିଛି। ଯେଉଁଥିରୁ ୭ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜିତ ହୋଇଛି। ଭାରତୀୟ ଦଳ ୩ଟି ଚମ୍ପିଆନ୍ସ ଟ୍ରଫି, ୨ଟି ଦିନିକିଆ ବିଶ୍ବକପ୍ ଓ ୨ଟି ଟି-୨୦ ବିଶ୍ବକପ୍ ଜିତିଛି।
– ବିଶ୍ବ କ୍ରିକେଟରେ ରୋହିତ ଶର୍ମା ଏକମାତ୍ର ଖେଳାଳି ଯିଏକି ଆଇସିସି ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚରେ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।