ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ପାସପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଓଏଲ୍ ବ୍ୟୁରୋ: ଚର୍ଚ୍ଚିତ ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ। ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ସହ ପାସପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ସୂଚନା ଅନୁସାରେ, ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଏକକାଳୀନ ୧୨ଟି ସ୍ଥାନରେ ରେଡ କରିଥିଲା ଆୟକର ବିଭାଗ। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସନରେ ଖୋଳତାଡ଼ କରିଛି। ମହାଠକେଇର ମାୟାଜାଲର ଚେର ନର୍ଲାରୁ ଦିଲ୍ଲୀ ଭାୟା ଭୁବନେଶ୍ବର ଦେଇ ଲମ୍ବିଥିଲା। ହେଲେ ନଗଦ ଦାମୀ ଗାଡ଼ି କିଣି ଅକଳରେ ପଡ଼ିଯାଇଥିଲେ ହଂସିତା।
ଜନ୍ମଦିନରେ ବିନା ଲୋନରେ ପୋର୍ସେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ରାଜଧାନୀର ଛାତି ଉପରେ ଅତି ଚତୁରତାର ସହ ଦୀର୍ଘ ଦିନ ହେଲା ରାକେଟ ଚଳାଇଥିବା ବଣ୍ଟି- ବବଲି ଯୋଡ଼ିଙ୍କୁ ବାନ୍ଧି ଥିଲା ପୁଲିସ।
ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇ ନ ଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍ ଆପାର୍ଟମେଣ୍ଟରେ ରହୁଥିଲେ। ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ ମହାଲୁଟ୍।